ଭୁବନେଶ୍ବର: ବହୁ ବାଦବିବାଦ ତଥା ଚର୍ଚ୍ଚା ପରେ ଆଜି ବିଜୁ ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଏ ନେଇ ବିଧାନସଭାର ଶୂନ୍ୟ କାଳରେ ଶାସକ ଦଳର ସଦସ୍ୟ ହୋ ହାଲ୍ଲା କରିଥିଲେ। ଏହି ଟ୍ରଷ୍ଟ କଣ ପାଇଁ ଗଠନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର କିଛି ହୀନ ଉଦ୍ଦେଶ୍ୟ ରହିଛି କି ବୋଲି ଜାଣିବାକୁ ଚାହିଁଥିଲେ।
ସେତିକି ନୁହେଁ ଏହି ଟ୍ରଷ୍ଟକୁ ନେଇ ଖୋଲାସା କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ କରିବାରେ ଲାଗିଛନ୍ତି। ଟ୍ରଷ୍ଟର ସମସ୍ତ ନଥୀପତ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ରାଜନୀତିକୁ ସରଗରମ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ କଣ ବିଜେଡି ଟଙ୍କା ହେରଫେର କରାଯିବାର ଯୋଜନା ରହିଛି କି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି।
ଏସବୁ ଚର୍ଚ୍ଚା ଭିତରେ ଆଜି ନବୀନ ଏହା ଉପରେ ସ୍ପଷ୍ଟି କରଣ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁବାବୁ ଚ୍ୟାରିଟ୍ କାର୍ଯ୍ୟ ପାଇଁ ବେଶ ଜଣାଶୁଣା ଥିଲେ। ସେଥିପାଇଁ ସେ କଳିଙ୍ଗ ଫାଉଣ୍ଡେସନ ଗଠନ କରି ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ପୁରସ୍କାର ପ୍ରଦାନ କରୁଥିଲେ। ସେହିପରି ମୋର ଭାଇ ଓ ଭଉଣୀ କଟକର ଆନନ୍ଦ ଭବନ ଓଡିଶାବାସୀଙ୍କ ସେବୀ ପାଇଁ ସରକାରଙ୍କୁ ଦାନ କରିଛନ୍ତି ବୋଲି ନବୀନ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମୁଁ ବେକ ଚିକିତ୍ସା ପାଇଁ ଦିଲ୍ଲୀରେ ଥିବା ବେଳେ କେତେକ ଚାଟାର୍ଟ ଆକାଉଣ୍ଟାଣ୍ଟ ଏବଂ ଓକିଲଙ୍କ ସହିତ ପରାମର୍ଶ କରିଥିଲି। ବିଜୁ ବାବୁଙ୍କ ନାମରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତି କରିଥିଲି। ସେମାନଙ୍କ ପରାମର୍ଶରେ ଏହି ଟ୍ରଷ୍ଟ ଗଠନ ହୋଇଛି। ଏଥିରେ ମୁଁ ନିଜେ ମୋ ନିଜ ଫଣ୍ଡରୁ ଏକ ଲକ୍ଷ ଟଙ୍କା ଦାନ କରିଛି। ଏହି ଟ୍ରଷ୍ଟ ଓଡିଶା ବାସୀଙ୍କ ସେବାରେ ନିୟୋଜିତ ହେବ। ଏଥିରେ ବିଜେଡିର ଫଣ୍ଡ ଟ୍ରାନସଫର ହେବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ନବୀନ କହିଥିଲେ।
ନବୀନଙ୍କ ସ୍ପଷ୍ଟି କରଣ ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଭଟ୍ଟା ପଡିଛି। ବିରୋଧୀ ତଥା ବିଭିନ୍ନ ମହଲରେ ଯେଉଁ ପ୍ରଶ୍ନ ଉତ୍ଥାପନ କରାଯାଇଥିଲା ସେଥିରେ ବିରାମ ଲାଗିଛି।


