ଚେନ୍ନାଇ : ତାମିଲନାଡୁ ରାଜନୀତିରେ କେ ଆନ୍ନାମଲାଇଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାକୁ ଆଜି ପୂର୍ଣ୍ଣବିରାମ ଲଗାଇଛନ୍ତି ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ । ସେ ସ୍ପଷ୍ଟ କରି କହିଛନ୍ତି ଯେ ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇନାହାନ୍ତି କି ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିବା ନେଇ ଆଲୋଚନା କରିନାହାନ୍ତି ।
ନାଗେନ୍ଦ୍ରନ କହିଛନ୍ତି, ଆନ୍ନାମଲାଇ ବିଜେପି ଛାଡ଼ିଥିବା ନେଇ ପ୍ରଚାରିତ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ମାତ୍ର। ରାଜ୍ୟ ବିଜେପି ସଭାପତି ଭାବେ ସେ ତାଙ୍କଠାରୁ କୌଣସି ଇସ୍ତଫାପତ୍ର ପାଇନାହାନ୍ତି । ଆମ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ସେ ନୂଆ ଦଳ ଆରମ୍ଭ କରିବା ନେଇ କାହା ସହ କଥା ହୋଇନାହାନ୍ତି,” ବୋଲି ସେ କହିଛନ୍ତି।
ଆନ୍ନାମଲାଇଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ ନାଗେନ୍ଦ୍ରନ ପୁଣିଥରେ ଦୋହରାଇଛନ୍ତି ଯେ ତାଙ୍କ ଇସ୍ତଫାକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଥ୍ୟା ଓ ନିରାଧାର।
ଉଲ୍ଲେଖଯୋଗ୍ୟ ଯେ, ଆନ୍ନାମଲାଇ ନିକଟରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବା ପରେ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଜୋର ଧରିଛି ।


