ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର କ୍ରିଷ୍ଟୋଫର ଲକ୍ସନଙ୍କ ଦ୍ୱାରା ଆୟୋଜିତ “ଭାରତ–ନ୍ୟୁଜିଲ୍ୟାଣ୍ଡ: ଏକ ବିଜୟୀ ସହଭାଗିତା” ଶୀର୍ଷକ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି, ବ୍ୟବସାୟ, ଶିଳ୍ପ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଏବଂ କଳା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ଲକ୍ସନ୍ ତାଙ୍କ ସ୍ୱାଗତ ଭାଷଣରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ଗଭୀର ଏବଂ ଦୀର୍ଘସ୍ଥାୟୀ ସମ୍ପର୍କକୁ ଉଲ୍ଲେଖ କରିଥିଲେ। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ସହ ପାରସ୍ପରିକ ସମୃଦ୍ଧିକୁ ଆଗେଇ ନେବା ପାଇଁ ଏକ ସାମୂହିକ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ପରିପୂରକତା ଏବଂ ଦୀର୍ଘଦିନର ପାରସ୍ପରିକ ଜନ-ସମ୍ପର୍କକୁ ଉଲ୍ଲେଖ କରିଥିଲେ। ସେ ଦ୍ୱିପାକ୍ଷିକ ସମ୍ପର୍କକୁ ‘ରଣନୀତିକ ଭାଗିଦାରୀ’ ସ୍ତରକୁ ଉନ୍ନୀତ କରାଯାଇଥିବାକୁ ସ୍ୱାଗତ କରିବା ସହ ଏହା ଚାଲିଥିବା ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇଥିବା ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ଉଭୟ ଦେଶର ବ୍ୟବସାୟୀ, ଯୁବବର୍ଗ ଓ କୃଷକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲରେ ସହାୟକ ହେବ।
ମଧ୍ୟାହ୍ନ ଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଲକ୍ସନ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ ଅଭିନବ କ୍ରୀଡ଼ା ସରଞ୍ଜାମଗୁଡ଼ିକୁ ପରିଦର୍ଶନ କରିଥିଲେ। ସେମାନେ ନ୍ୟୁଜିଲ୍ୟାଣ୍ଡର ସମ୍ମାନିତ କ୍ରୀଡ଼ାବିତ୍, ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ା ସହ ଜଡିତ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ମଧ୍ୟ ମତବିନିମୟ କରିଥିଲେ। ଉଭୟ ଦେଶ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ୧୦୦ ବର୍ଷର ସମ୍ପର୍କକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଗସ୍ତ ସମୟରେ ସମ୍ପନ୍ନ ହୋଇଥିବା ‘କ୍ରୀଡ଼ା ମିଳିତ କାର୍ଯ୍ୟଯୋଜନା’ ଉଭୟ ଦେଶ ମଧ୍ୟରେ କ୍ରିକେଟ୍ ବ୍ୟତୀତ ଅନ୍ୟାନ୍ୟ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରିବ। ବିଶେଷକରି ୨୦୩୦ କମନୱେଲଥ ଗେମ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତି ଚଳାଇଥିବା ପରିପ୍ରେକ୍ଷୀରେ କ୍ରୀଡ଼ା ସହଯୋଗକୁ ସମ୍ପ୍ରସାରିତ କରିବାକୁ ଉଭୟ ପକ୍ଷର ଇଚ୍ଛାକୁ ଏହି ଗସ୍ତ ପ୍ରତିଫଳିତ କରିଥିଲା।


