Categories
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ୨୦୨୨ “ଡିଜିଟାଲ ଇଣ୍ଡିଆ” ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତମ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଡିଜିଟାଲ ଇଣ୍ଡିଆ’ ପୁରସ୍କାର-୨୦୨୨ କେବଳ ସରକାରୀ ସଂସ୍ଥା ଓ ଅନୁଷ୍ଠାନକୁ ଅନୁପ୍ରାଣିତ, ଉତ୍ସାହିତ ଓ ସ୍ୱୀକୃତି ପ୍ରଦାନ କରି ନ ଥାଏ, ଏହା ମଧ୍ୟ ଷ୍ଟାର୍ଟ ଅପ୍‌ଗୁଡିକୁ ଡିଜିଟାଲ ଇଣ୍ଡିଆର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ। ଏହି ପୁରସ୍କାର ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଜନସାଧାରଣଙ୍କୁ ଡିଜିଟାଲ ଶାସନର ସଫଳ ପ୍ରୟୋଗ ଦିଗରେ ସମର୍ଥ କରିଥାଏ।

ରାଷ୍ଟ୍ରପତି ପୁରସ୍କାର ବିଜୟୀମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ନବସୃଜନ ଆଣି ଲୋକଙ୍କ ସେବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ବେଶ୍ ଆନନ୍ଦଦାୟକ। ଏହା ଦ୍ୱାରା ନାଗରିକମାନେ ସଶକ୍ତ ହେବା ସହିତ, ଡାଟା ସେୟାରିଂ ଓ ବ୍ୟାବସାୟିକ ସୁଗମତା ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି।

ରାଷ୍ଟ୍ରପତି କହିଛନ୍ତି ଯେ ସାମାଜିକ ନ୍ୟାୟ ପ୍ରଦାନ, ଡିଜିଟାଲ ନବସୃଜନ (ଇନୋଭେସନ)ର ପ୍ରମୁଖ  ଲକ୍ଷ୍ୟ ହେବା ଉଚିତ। ଏବେ ଦେଶରେ ଯେଉଁ ଡିଜିଟାଲ ବିଭାଜନ ବା ସହର  ମଫସଲ ଭିତରେ ଡିଜିଟାଲ ତାରତମ୍ୟ ରହିଛି; ଟେକ୍‌ନୋଲୋଜି ମାଧ୍ୟମରେ ତାହାର ଦୂରୀକରଣ କରାଯାଇପାରିଲେ ଭାରତ ଏକ ଜ୍ଞାନ ଅର୍ଥନୀତିରେ ପରିଣତ ହୋଇପାରିବ। ଭାରତ ଏ ଦିଗରେ ଯେଉଁ ପଦକ୍ଷେପ ନେଉଛି ତାହା ଇପ୍‌ସିତ୍ ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି  ରାଷ୍ଟ୍ରପତି ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି। ସେ କହିଛନ୍ତି  ଯେ ‘ଡିଜିଟାଲ ଅନ୍ତ୍ୟୋଦୟ ଯାତ୍ରା ପଥରେ ଭାରତ ଉପଯୁକ୍ତଭାବେ ଆଗେଇ ଚାଲିଛି ଏବଂ ଏଥିରେ ସମାଜର ଅବହେଳିତ ଓ ବଂଚିତ ବର୍ଗଙ୍କୁ ସାମିଲ କରି ସେମାନଙ୍କ ଅର୍ଥନୀତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରକୁ ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହୁରି କହିଥିôଲେ ଯେ ଭାରତରେ ଡିଜିଟାଲ ପରିବର୍ତ୍ତନର କାହାଣୀ, ନବସୃଜନ, ରୂପାୟନ ଓ ସମସ୍ତଙ୍କୁ ସମ୍ପୃକ୍ତ କରିବାର କାହାଣୀ। ସମଗ୍ର ବିଶ୍ୱକୁ ଅଧିକ ସୁଗମ, ସମାନ ଏବଂ ସମାବେଶୀ କରିବା ପାଇଁ ଅଧିକରୁ ଅଧିକ ସହଯୋଗ ଭିତ୍ତିକ ମଞ୍ଚ ସୃଷ୍ଟି ମାଧ୍ୟମରେ ନୂଆ ନୂଆ ଅଭିନବ ସମାଧାନ ସୂତ୍ର ବାହାର କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଭାରତୀୟ ଆଇଟି କମ୍ପାନୀମାନେ ବିଦେଶୀଙ୍କୁ ଭାରତର ପ୍ରତିଭାର ମୂଲ୍ୟ ବୁଝିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ଆମେ ବର୍ତ୍ତମାନର ନୀତିର ସଦୁପଯୋଗ କରି ଆମର ସୂଚନା ପ୍ରଯୁକ୍ତି ପରିବେଶକୁ ଆହୁରି ସୁଦୃଢ କରିବା ସହିତ ସପ୍ଟଓୟାର ଓ ହାର୍ଡଓୟାର କ୍ଷେତ୍ରରେ ଭାରତକୁ ଏକ ବୈଶ୍ୱିକ ପାୱାର ହାଉସରେ ପରିଣତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରରେ ପରିଣତ ହେବା ନିମନ୍ତେ ଭାରତ ଇନୋଭେଟିଭ ମେଡ୍ ଇନ୍ ଇଣ୍ଡିଆ ଟେକ୍‌ନୋଲୋଜି ପ୍ରସ୍ତୁତ କରିବା ଉଚିତ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ନୂଆ ଜ୍ଞାନ, ଅନ୍ତର୍ଦୃଷ୍ଟି ଓ ସମସ୍ୟା ସମାଧାନ ସୂତ୍ର ସୃଷ୍ଟିରେ ଦାତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଫଳତା ବିନିଯୋଗର ନୂଆ କ୍ଷେତ୍ର ସୃଷ୍ଟି କରିଥାଏ। ତେଣୁ ଆମେ ସରକାରୀ ଡାଟା ବ୍ୟବହାରକୁ ଅଧିକ ଗଣତାନ୍ତ୍ରିକ କରିବା ଉଚିତ। ଏହା ପଥରେ ଯୁବ ଟେକ୍ନୋଲୋଜି ଉତ୍ସାହୀମାନେ ଏହାକୁ ବ୍ୟବହାର କରି ସ୍ଥାନୀୟ ଡିଜିଟାଲ ସଲ୍ୟୁସନ୍ସର ବାଟ ବାହାର କରିପାରିବେ।

ରାଷ୍ଟ୍ରପତି ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ ଭାରତର ସରକାରୀ  ସଂସ୍ଥାମାନେ ଯେଉଁ ନବ ସୃଜନକାରୀ ପ୍ରୟାସ ତୃଣମୂଳ ସ୍ତରରେ ହାତକୁ ଦେଇଛନ୍ତି ଏବଂ ଘରୋଇ-ସରକାରୀ ଅଂଶୀଦାରୀରେ ଷ୍ଟାର୍ଟଅପ୍‌ଗୁଡିକ ସହିତ ଯେଉଁ ସହଯୋଗ ରଖିଛନ୍ତି ତାହା ବେଶ ଉତ୍ସାହର ବିଷୟ। ସବୁ ନାଗରିକଙ୍କ ଜୀବନ ଧାରଣର ମାନକୁୁ  ବଢାଇ ସେମାନଙ୍କୁ ଜୀବନକୁ  ସୁଖଦ କରିବାର ଆହ୍ୱାନକୁ ସାକାର କରିବାକୁ ଆମକୁ ବ୍ରତୀ ହେବାକୁ ପଡିବ। ଏଥିପାଇଁ ନ୍ୟାୟପାଳିକା, ଭୂ-ପଞ୍ଜୀକରଣ, ସାର ଓ ଉର୍ବରକ ଉପଯୋଗ, ସାଧାରଣ ବଣ୍ଟନ ବ୍ୟବସ୍ଥାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମକୁ କାମ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନିମନ୍ତେ ଏହି କାର୍ଯ୍ୟକ୍ରମ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ ଠାରେ ଆୟୋଜିତ ହୋଇଥିଲା।

ନ୍ୟାସ୍‌ନାଲ୍ ହେଲ୍‌ଥ ଟେଷ୍ଟ ଫର ଦିବ୍ୟାଙ୍ଗଜନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫,୦୦୦ ପିଲାମାନଙ୍କର ଏପ୍ରିଲ୍ ୫ ଓ ୭ ମଧ୍ୟରେ ଦେଶର ୭୫ଟି ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଦେଶରେ ପାଳିତ ହେଉଥିବା ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ ସହ ସାମିଲ୍ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ ସୋଆ ସମେତ ଆଜି ସାରା ଦେଶରେ ୭,୫୦୦ ମାନସିକ ଭାବେ ଭିନ୍ନକ୍ଷମ ପିଲାମାନେ ଦେଶର ୧୨୬ଟି ସ୍ଥାନରେ ଏକ ସଂଗେ ଏକ ମିନିଟ ପାଇଁ ଜଗିଂ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇପାରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଏକ ଡାକ୍ତରୀ ଦଳ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ଡାକ୍ତରମାନେ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତଣାଳୟ ସହଯୋଗ କରିଥିଲେ।

ଏହାର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମାନସିକ ଭାବେ ଭିନ୍ନକ୍ଷମ ଲୋକଙ୍କର ସଶକ୍ତିକରଣ ନିମନ୍ତେ ସବୁ ପ୍ରକାର ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହି ପିଲାମାନେ ପାରା ଅଲିମ୍ପିକ୍ସରେ ଭାରତ ନିମନ୍ତେ
ଗୌରବ ଅର୍ଜନ କରିପାରିଛନ୍ତି। ବିଖ୍ୟାତ ଚିତ୍ରକର ସତୀଶ ଗୁଜରାଲ୍‌ଙ୍କ ବିଷୟ ଉଲ୍ଲେଖ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ମୁକ ଓ ବଧିର ହୋଇଥିଲେ ମଧ୍ୟ ଦେଶର ୫ ଜଣ ଶ୍ରେଷ୍ଠ ଚିତ୍ରକରଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି।

ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତର ଆଂଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ୨ ବର୍ଷ ପରେ ସେମାନଙ୍କ ଘରୁ ବାହାରକୁ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ। ଗତବର୍ଷ ସ୍ପେଶିଆଲ୍ ଅଲିମ୍ପିକ୍ସରେ ଯୋଗ ଦେଇ ଏହିପରି ମାନସିକ ଭାବେ ଭିନ୍ନକ୍ଷମ କ୍ରୀଡାବିତମାନେ ଦେଶ ପାଇଁ ୮୫ଟି ସ୍ୱର୍ଣ୍ଣ ସହ ୩୭୯ଟି ପଦକ ଅର୍ଜନ କରିଥିବା ସେ କହିଥିଲେ।

ଏହି ଉତ୍ସବରେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସୁନ୍ଦରଗଡ଼/ରାଉରକେଲା: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ। ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ।

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି। ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି।

ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି। କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି। ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି।

ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି।

ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।