ପୁରୀ: ଘିଡିଘିଡି ନାଦରେ ଆରମ୍ଭ ହୋଇଛି ରଥଟଣା। ସିଂହଦ୍ବାରର ପ୍ରଥମ ବଡ ଭାଇ ବଳଭଦ୍ରଙ୍କ ରଥ ପ୍ରାୟ ଅପରାହ୍ନ 5ଟା ପରେ ଟଣାଯାଇଥିଲା। ଏହାପରେ ମା ସୁଭଦ୍ରାଙ୍କ ରଥ ଭିଡାଯାଇଥିଲା। ତେବେ ଆଜିର ରଥଟଣା ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟର ଅପରାହ୍ନ 4ଟାରେ ଆରମ୍ଭ ହେବାର ଥିଲା। ହେଲେ ତାହା ଘଣ୍ଟେ ବିଳମ୍ବରେ ଆରମ୍ଭ ହୋଇଥିଲା।
ଆଜି ସକାଳୁ ଶ୍ରୀଜୀୟୁଙ୍କ ଯଥାରିତିରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ଏହାପରେ ପ୍ରଭୃଙ୍କ ପହଣ୍ଡି ବିଜେ କରାଯାଇଥିଲା। ଆଗପଛ ହୋଇ ତିନିଠାକୁର ରଥରେ ଉପବିତ ହୋଇଥିଲେ। ଏହାପରେ ଛେରାପହଁରା କରାଯାଇଥିଲା। ହେଲେ ସେସବୁ ନୀତିକାନ୍ତି କରିବା ଭିତରେ ଘଣ୍ଟାଏ ବିଳମ୍ବ ହୋଇଯାଇଥିଲା।
ଗତକାଲିଠାରୁ ପୁରୀରେ ପ୍ରବଳ ବର୍ଷା ହୋଇଛି। ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଛି। ସେଥିରେ ମଧ୍ୟ ବଡଦାଣ୍ଡରେ ପ୍ରବଳ ଜନସମାଗମ ହୋଇଛି। ଭକ୍ତମାନେ ଛତା ଧରି ରଥଟାଣିବା ପାଇଁ ଅପେକ୍ଷା କରି ରହିଥିଲେ। ବର୍ଷାପାଇଁ ଲୋକ କମିବାର ଯେଉଁ ଆଶାଥିଲା ତାହା ହୋଇ ନ ଥିଲା। ଗତକାଲି ରାତିରୁ ବଡଦାଣ୍ଡରେ ପ୍ରବଳ ଗହଳି ଆରମ୍ଭ ହୋଇଯାଇଥିଲା।


