ନୂଆଦିଲ୍ଲୀ / ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଛି। ସୁପ୍ରିମକୋର୍ଟ ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ ଆବେଦନର ଶୁଣାଣି କରିବେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହେବାର ଥିଲା। ତେବେ ଆବେଦନକାରୀଙ୍କ ପକ୍ଷରୁ ଗତକାଲି ଏକ ରିଜେଣ୍ଡର ଦାଖଲ କରାଯାଇଥିବା ବେଳେ ସଲିସିଟର ଜେନେରାଲ ମଧ୍ୟ ନିଜର ରିପୋର୍ଟ ଦାଖଲ କରିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହି ନୂତନ ଦସ୍ତାବିଜଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟ ସମୟ ନେଇ ଶୁଣାଣିକୁ ସେପ୍ଟେମ୍ବର ୭ ଯାଏଁ ସ୍ଥଗିତ ରଖିଛନ୍ତି।


