ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ‘ଜିଓ ୱାର୍ଲ୍ଡ ସେଣ୍ଟର’ଠାରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳରେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)ର ଅଫିସର ଭାବେ ପରିଚୟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକ ଓ ତାଙ୍କ ସଶସ୍ତ୍ର ଦେହରକ୍ଷୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରୋହନ ପାରେଖ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରୋହନ ପାରେଖ ନିଜ ମୋବାଇଲ୍ରେ ଏକ ସନ୍ଦିଗ୍ଧ ପିଏମ୍ଓ ପରିଚୟ ପତ୍ର ଦେଖାଇ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତେବେ ତାଙ୍କ ସହ ଥିବା ଦେହରକ୍ଷୀଙ୍କ ପାଖରେ ବନ୍ଧୁକ ଥିବାରୁ ପ୍ରବେଶ ପଥରେ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ। ସନ୍ଦେହ ହେବାରୁ ପୁଲିସ ସେମାନଙ୍କୁ ପଚରାଉଚୁରା ଓ ପରିଚୟ ପତ୍ର ଯାଞ୍ଚ କରିବା ପରେ ତାହା ନକଲି ବୋଲି ସ୍ପଷ୍ଟ ହୋଇଥିଲା।
ତେବେ କୋର୍ଟ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଆଇନଜୀବୀ ଦାବି କରିଛନ୍ତି ଯେ, ଗିରଫ ହୋଇଥିବା ରୋହନ ପାରେଖ ନିଜେ ଏକ ବଡ଼ ଠକାମିର ଶିକାର ହୋଇଛନ୍ତି। ଜାଲ୍ ନିଯୁକ୍ତି ପତ୍ର ପାଇବା ପରେ ସେ ନିଜକୁ ସତ ପିଏମ୍ଓ ଅଫିସର ଭାବି କାର୍ଯ୍ୟ କରୁଥିଲେ ଏବଂ ସେହି ଆଧାରରେ ଦେହରକ୍ଷୀ ନିୟୋଜିତ କରିଥିଲେ। ପୁଲିସ ଏବେ ଏହି ମାମଲାର ଅଧିକ ତଦନ୍ତ ଚଳାଇଛି।


