ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପାଇଁ ରାଜଧାନୀ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଶ୍ୱର ବହୁ ଦେଶର ପ୍ରତିନିଧି, ନେତୃବୃନ୍ଦ ଓ ବରିଷ୍ଠ କୂଟନୀତିଜ୍ଞମାନେ ଯୋଗଦେବେ। ଏହି ମହାସମ୍ମିଳନୀକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପାଦନ କରିବା ପାଇଁ ଦିଲ୍ଲୀ ପୁଲିସ ଏବଂ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଗମନାଗମନ ଯୋଜନା କାର୍ଯ୍ୟକାରୀ କରାଯାଇଛି।
ଏହି କାର୍ଯ୍ୟକ୍ରମର ସୁରକ୍ଷା ଭାର ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କରିବା ପାଇଁ ମୋଟ ୭ ହଜାର ସୁରକ୍ଷା କର୍ମୀଙ୍କୁ ମୋତାୟନ କରାଯାଇଥିବା ବେଳେ ସହରସାରା ଯାନବାହାନ ଚଳାଚଳକୁ ସୁଚାରୁ ରୂପେ ନିୟନ୍ତ୍ରଣ କରିବା ପାଇଁ ୪,୮୦୦ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା କେବଳ ମୁଖ୍ୟ ସମ୍ମିଳନୀ ସ୍ଥଳ ଭାରତ ମଣ୍ଡପମ୍ ମଧ୍ୟରେ ସୀମିତ ନ ରହି ସମ୍ପୂର୍ଣ୍ଣ ରାଜଧାନୀରେ ବ୍ୟାପକ କରାଯାଇଛି। ବିମାନବନ୍ଦରରୁ ଅତିଥିମାନେ ରହୁଥିବା ହୋଟେଲ ଏବଂ ସେଠାରୁ ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ କଡ଼ା ନଜର ରଖାଯାଉଛି। ଆକାଶମାର୍ଗରୁ ନେଇ ଭୂପୃଷ୍ଠ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ କଡ଼ା ନଜରଦାରୀ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି।
ବିଶିଷ୍ଟ ବ୍ୟକ୍ତିମାନଙ୍କ ଯାତାୟାତ ସମୟରେ ସାଧାରଣ ଟ୍ରାଫିକ ବ୍ୟବସ୍ଥା ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ୨୨ଟି ମୁଖ୍ୟ ପରିବର୍ତ୍ତିତ ମାର୍ଗ ଏବଂ ୩୫ରୁ ଅଧିକ ପ୍ରମୁଖ ରାସ୍ତା ଚିହ୍ନଟ କରାଯାଇଛି, ଯେଉଁଠାରେ ଆବଶ୍ୟକତା ଅନୁଯାୟୀ ଯାନବାହନ ଚଳାଚଳକୁ ସାମୟିକ ଭାବେ ଅଟକାଯିବ କିମ୍ବା ଅନ୍ୟ ରାସ୍ତା ଦେଇ ପଠାଯିବ। ସମଗ୍ର ନୂଆଦିଲ୍ଲୀରେ ସୁରକ୍ଷା ବାହିନୀ ପକ୍ଷରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଓ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।


