Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସମ୍ପର୍କ ସ୍ୱାଭାବିକ କରିବା ପାଇଁ LAC କୁ ସମ୍ମାନ ଦେବା ଆବଶ୍ୟକ: ଚୀନ ରାଷ୍ଟ୍ରପତିଙ୍କୁ କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ୧୫ ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ନେତାଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନଥିଲା, ବରଂ ଉଭୟ ନେତା ଚାଲିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ।

ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ବ୍ରିକ୍ସ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ସେମାନଙ୍କର ସମ୍ପୃକ୍ତ ଅଧିକାରୀମାନଙ୍କୁ ଶୀଘ୍ର ବିବାଦ ହ୍ରାସ କରିବା ପାଇଁ ଉଦ୍ୟମ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବାକୁ ରାଜି ହୋଇଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ LAC ର ସମାଧାନ ହୋଇନଥିବା ପ୍ରସଙ୍ଗଗୁଡିକ ବିଷୟରେ ଅବଗତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ-ଚୀନ୍ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ LAC କୁ ସମ୍ମାନ ଦେବା ଆବଶ୍ୟକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ୱାଟରକ୍ଲୁଫ ଏୟାର ବେସରେ ପିଏମ ମୋଦୀଙ୍କୁ ରେଡ କାର୍ପେଟ ସ୍ୱାଗତ କରାଯାଇଥିଲା। ମୋଦିଙ୍କୁ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପାରିକ ଆଦିବାସୀ ନୃତ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ଭାରତୀୟ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ମୋଦୀ ଲୋକଙ୍କୁ ଅଭିବାଦନ ଜଣାଇବା ସହ ହାତ ମିଳାଇଥିଲେ।

ଭାରତ ବ୍ୟତୀତ ବ୍ରିକ୍ସ ଗୋଷ୍ଠୀରେ ଚୀନ୍, ଋଷ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ମଧ୍ୟ ସାମିଲ ଅଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ରହିବେ। ଏହି ସମୟ ମଧ୍ୟରେ ସେ କିଛି ସଦସ୍ୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ।

ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ବୈଠକରେ ଯୋଗ ଦେଉଛନ୍ତି। ତଥାପି, ଉଭୟ ଦେଶରେ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ବୈଠକ ବ୍ୟତୀତ ଦୁଇ ନେତାଙ୍କ ବୈଠକ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗଙ୍କ ସାକ୍ଷାତକୁ ନେଇ ସନ୍ଦେହ ଘେରକୁ ଆସିଛି।

ଏହି ବୈଠକରେ ୪୫ ଅତିଥି ଦେଶ ଅଂଶଗ୍ରହଣ କରିବେ:

ସମ୍ବାଦ ଏଜେନ୍ସି ‘ANI’ ର ରିପୋର୍ଟ ଅନୁଯାୟୀ ୪୫ ଅତିଥି ଦେଶ ଏହି ସଭାରେ ଅଂଶଗ୍ରହଣ କରିପାରନ୍ତି। ଏଥି ମଧ୍ୟରେ ସାଉଦି ଆରବ, ତୁର୍କୀ, ପାକିସ୍ଥାନ ଏବଂ ଇରାନ ଅନ୍ତର୍ଭୁକ୍ତ। ଏହି ବୈଠକର କେନ୍ଦ୍ର ବିନ୍ଦୁ ଗୋଷ୍ଠୀର ସମ୍ପ୍ରସାରଣ ହେବ। ତେବେ ଏହାର ପାଞ୍ଚ ସଦସ୍ୟ ଦେଶ ମଧ୍ୟରେ ଏହି ପ୍ରସଙ୍ଗରେ କୌଣସି ସହମତି ନାହିଁ। ଶିଖର ସମ୍ମିଳନୀ ପରେ ଆଫ୍ରିକା ଆଉଟ୍ରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ସଂଳାପ କରାଯିବ। ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ଅନ୍ୟ ଦେଶ ଏଥିରେ ଅନ୍ତର୍ଭୁକ୍ତ ହେବେ।

ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଥେନ୍ସ ଯିବେ:

ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗ୍ରୀକ୍ ପ୍ରତିପକ୍ଷ କିରିଆକୋସ୍ ମିତ୍ସୋତାକିସ୍ ଙ୍କ ନିମନ୍ତ୍ରଣରେ ଅଗଷ୍ଟ ୨୫ ତାରିଖରେ ଏଥେନ୍ସ ଗସ୍ତ କରିବେ। ସେ କହିଛନ୍ତି ଯେ, “ଗତ ୪୦ ବର୍ଷ ମଧ୍ୟରେ ଗ୍ରୀସ ଗସ୍ତରେ ଆସିଥିବା ମୋର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ଗଗୌରବ ରହିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅଗଷ୍ଟ ୨୨ରୁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୀସ୍ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ମାଟାମେଲା ସିରିଲ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ ୨୦୨୩ ଅଗଷ୍ଟ ୨୨-୨୪ରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ।

୨୦୧୯ ପରଠାରୁ ଏହା ବ୍ୟକ୍ତିଗତ ଉପସ୍ଥିତିରେ ପ୍ରଥମ ବ୍ରିକ୍ସ ସମ୍ମିଳନୀ ହେବ। ଶିଖର ସମ୍ମିଳନୀ ସମୂହ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନାଗୁଡ଼ିକର ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତର ଗତିବିଧି କ୍ଷେତ୍ରକୁ ଚିହ୍ନଟ କରିବା ନିମନ୍ତେ ଏହା ସୁଯୋଗ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀ ପରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବ୍ରିକ୍ସ- ଆଫ୍ରିକା ଆଉଟରିଚ୍ ଏବଂ ବ୍ରିକ୍ସ ପ୍ଲସ୍ ଡାଏଲଗ୍‌’ରେ ମଧ୍ୟ ଭାଗ ନେବେ, ଯେଉଁଠି ଦକ୍ଷିଣ ଆଫ୍ରିକା ଦ୍ୱାରା ନିମନ୍ତ୍ରିତ ହୋଇଥିôବା ଅନ୍ୟ ଦେଶ ବି ସାମିଲ ହେବେ।

ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ଅନ୍ୟନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ।

ଦକ୍ଷିଣ ଆଫ୍ରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ୨୦୨୩ ଅଗଷ୍ଟ ୨୫ରେ ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋଟାକିସଙ୍କ ନିମନ୍ତ୍ରଣ କ୍ରମେ  ଗ୍ରୀସ୍ ଗସ୍ତରେ ଯିବେ। ୪୦ ବର୍ଷରେ ଗ୍ରୀସକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ।

ଗ୍ରୀସ୍ ଏବଂ ଭାରତ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କ ନିକଟ ଅତୀତରେ ସାମୁଦ୍ରିକ ପରିବହନ, ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜିିବିନିଯୋଗ, ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ସହଯୋଗରେ ମଜଭୁତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଗ୍ରୀସ୍ ପ୍ରଧାନମନ୍ତ୍ରୀ ମିତସୋଟାକିସଙ୍କ ସହ ବୈଠକରେ ଆଲୋଚନା କରିବେ। ଏଥିସହ ସେ ଉଭୟ ଦେଶର ପ୍ରମୁଖ ବ୍ୟବସାୟୀ ଏବଂ ଗ୍ରୀସରେ ଥିବା ଭାରତୀୟ ସମୁଦାୟଙ୍କ ସହ ମଧ୍ୟ ମତ ବିନିମୟ କରିବେ।