ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି କ୍ୟାନସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼େଇ କରୁଥିବା ମୁସ୍ତାକ ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ଚାରି ଦଶନ୍ଧିର କ୍ୟାରିୟର ମଧ୍ୟରେ ସେ ଅନେକ ସହାୟକ ଓ ହାସ୍ୟ ଚରିତ୍ରରେ ନିଜର ଅପ୍ରତିଦ୍ୱନ୍ଦ୍ୱୀ ଅଭିନୟର ଛାପ ଛାଡ଼ିଛନ୍ତି। ଛୋଟ ଭୂମିକା ହେଉ କିମ୍ବା ବଡ଼, ନିଜର ଦମଦାର୍ କମିକ୍ ଟାଇମିଂ ଯୋଗୁଁ ସେ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ।
ସେ ‘ଆଶିକି’, ‘ହମ୍ ହୈଁ ରାହି ପ୍ୟାର କେ’, ‘ହେରା ଫେରି’, ‘ଯୋଡ଼ି ନଂ-୧’, ‘ଗଦର: ଏକ ପ୍ରେମ କଥା’, ‘ମୁଝସେ ଶାଦି କରୋଗି’, ‘ୱେଲକମ୍’, ‘ୱାଣ୍ଟେଡ୍’, ‘ଓଏମ୍ଜି – ଓଃ ମାଇ ଗଡ୍’, ‘ଗଦର-୨’ ଏବଂ ‘ସ୍ତ୍ରୀ-୨’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ବିଶେଷକରି ୨୦୦୭ର ଲୋକପ୍ରିୟ କମେଡି ଫିଲ୍ମ ‘ୱେଲକମ୍’ରେ ନାନା ପାଟେକରଙ୍କ ‘ଉଦୟ ଭାଇ’ ଚରିତ୍ର ସହ ତାଙ୍କର ମଜାଦାର ଦୃଶ୍ୟ ଏବଂ ସଂଳାପ ଆଜି ବି ଦର୍ଶକଙ୍କ ମନରେ ସାଜା ରହିଛି। ଏହାସହ ‘ଗଦର’ ସିରିଜ୍ରେ ‘ଗୁଲ୍ ଖାନ୍’ ଚରିତ୍ରରେ ତାଙ୍କ ଅଭିନୟ ବେଶ୍ ଆଦୃତ ହୋଇଥିଲା। ଫିଲ୍ମ ବ୍ୟତୀତ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ। ନିଜର ନିଆରା ସହାୟକ ଚରିତ୍ର ଓ ହାସ୍ୟ ଅଭିନୟ ମାଧ୍ୟମରେ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ଏହି ଅଭିନେତାଙ୍କ ବିୟୋଗରେ ହିନ୍ଦୀ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।


