Categories
ଆଜିର ଖବର ରାଜ୍ୟ ଖବର

ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି।

ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ମୁକବଧୀର ବିଦ୍ୟାଳୟ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି। ଏହି ବର୍ଷ ଭୁବନେଶ୍ୱର ସ୍ଥିତ ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲେ।

ସ୍ପର୍ଶ ହ୍‍ସପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଔଷଧ ବିନା ଦେୟରେ ଦିଆଯାଇଥିଲା। ଏହି ବିଦ୍ୟାଳୟର ପିଲାମାନଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜନ୍ମଦିନରେ ଏହି ମୁକବଧୀର ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ। ମୁକବଧୀର ବିଦ୍ୟାଳୟର କର୍ମକର୍ତ୍ତା ଓ ପିଲାମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଆକାଶଙ୍କୁ ପାଖରେ ପାଇ ପିଲାମାନେ ବହୁତ ଖୁସି ହେବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।

ଆକାଶ ମୁକବଧୀର ପିଲାମାନଙ୍କ ସହ ଖୁସି ବାଂଟିଥିଲେ। ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ”। ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସମସ୍ତେ ନିଜର କର୍ମମୟ ଜୀବନରୁ ଟିକେ ସମୟ ବାହାରକରି ସେମାନଙ୍କୁ ସହଯୋଗ କଲେ ସେମାନଙ୍କ ମୁହଁରେ ହସ ଫୁଟିପାରିବ। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜାଫର ଇକ୍‍ବଲ ଦୃଷ୍ଟିବାଧିତ ଆନ୍ତର୍ଜାତିକ କ୍ରିକେଟ୍‍ ଖେଳାଳୀ, ସନ୍ୟାସୀ ବେହେରା ଓଡିଶାର ପ୍ରଥମ ଦୃଷ୍ଟିବାଧିତ ଓ.ଏ.ଏସ୍‍. ଅଫିସର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜକୁ ସେମାନଙ୍କ ଭଳି ହେବାପାଇଁ ଚେଷ୍ଟା କରିବେ।

ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସପିଟାଲର ଡାକ୍ତର, ସ୍ପର୍ଶ ହସପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ଧୀର, ଡକ୍ଟର ଅମୃତି ପାଟଯୋଶୀ, ପ୍ରବୀନ୍‍ ଅଗ୍ରୱାଲ, ପଳାସପଲ୍ଲୀ ମୁକବଧୀର ବିଦ୍ୟାଳୟର ସଭାପତି ନିରଞ୍ଜନ ଜୋଶୀ, ସାଧାରଣ ସମ୍ପାଦକ ଶିବନାରାୟଣ ବହିଦାର, ମୁଖ୍ୟ ପରିଚାଳକ ବିଜୟ କୁମାର ପରିଡା, ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ସାମନ୍ତରାୟ, ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର, ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଦେବୀପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ତିତିକ୍ଷା ରାୟ, ବୈଷ୍ଣବ ଭୋଳ, ଆଦିତ୍ୟ ଚୌଧୁରୀ, ନଭନିତ୍‍, ଇପ୍ସିତା ପ୍ରିୟଦର୍ଶନୀ, ରୋଶନ୍‍, ଅସିତ୍‍ ସାହୁ, ଅମୂଲ୍ୟ, ଅଜାତଶତ୍ରୁ, ତପି ମିଶ୍ର, ସୁଜିତ୍‍ ପାଇକରାୟ, ଭବାନୀଶଙ୍କର ଜେନା, ବିଶ୍ୱରଞ୍ଜନ ପଣ୍ଡା, ବାବୁ ବାବୁ, ଅଂଶ ଦାସନାୟକ, କୁମାର ରିଙ୍କୁ, କିଶୋର ଦାସ, ବି ୟାମିନୀ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଅଭିନେତା ମଙ୍ଗଲ ଧିଲନ୍ ଙ୍କ ଦେହାନ୍ତ, କର୍କଟ ରୋଗରେ ଥିଲେ ପୀଡିତ

ନୂଆଦିଲ୍ଲୀ: ଆଜି ସକାଳେ ହିନ୍ଦୀ ଏବଂ ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତା ମଙ୍ଗଲ ଧିଲନ୍ ଙ୍କ ଦେହାନ୍ତ ହୋଇଯାଇଛି। ସେ ଗତ କିଛି ବର୍ଷ ଧରି କର୍କଟ ରୋଗ ସହ ଲଢୁଥିଲେ। ସେ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିଛି ସମୟ ପାଇଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ଆଜି ସକାଳେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଲୋକପ୍ରିୟ ଅଭିନେତା ଆମୀର ରଜାଙ୍କ ଦେହାନ୍ତ, ୬୬ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ବଡ଼ ଝଟକା ଦେଇ ଚଳିତ ବର୍ଷ ଅନେକ ସେଲିବ୍ରେଟଙ୍କ ଦେହାନ୍ତ ହୋଇଛି। ବର୍ତ୍ତମାନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ତଥା ଥିଏଟର କଳାକାର ଆମୀର ରଜା ହୁସେନ୍‌ଙ୍କ ନାମ ମଧ୍ୟ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଛି। ଗତକାଲି ଦିଲ୍ଲୀ ଘରେ ଆମୀର ରଜା ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆମିରଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ତାଙ୍କ ପତ୍ନୀ ବିରାଟ ତଲୱାର ଏବଂ ଦୁଇ ପୁଅଙ୍କୁ ଛାଡି ଚାଲିଯାଇଛନ୍ତି।

ହୁସେନ୍ ୬ ଜାନୁୟାରୀ ୧୯୫୭ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତାଙ୍କ ଛାଡପତ୍ର ହୋଇଯାଇଥିଲା। ହୁସେନ୍‌ ତାଙ୍କ ମାଆଙ୍କ ଦ୍ୱାରା ପାଳିତ ହୋଇଥିଲେ। ହୁସେନ୍ ଅଜମେରର ମେୟୋ କଲେଜରେ ତାଙ୍କର ପାଠପଢା ସମାପ୍ତ କରିଥିଲେ ଏବଂ ପରେ ସେଣ୍ଟ ଷ୍ଟିଫେନ୍ କଲେଜରେ ଇତିହାସ ଅଧ୍ୟୟନ କରିଥିଲେ, ଯେଉଁଠାରେ ସେ ଜୟ ମାଇକେଲ, ବେରୀ ଜନ୍ ଏବଂ ମାର୍କସ୍ ମର୍ଚଙ୍କ ପରି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଅନେକ କଲେଜ ନାଟକରେ ଅଭିନୟ କରିଥିଲେ।

ପ୍ରକାଶ ଯେ ‘ବାହୁବଲୀ’, ‘ଆରଆରଆର’ ଏବଂ ବର୍ତ୍ତମାନ ଆଗାମୀ ‘ଆଦିପୁରୁଷ’ ଭଳି ବଡ ଚଳଚ୍ଚିତ୍ର ପୂର୍ବରୁ ଆମୀର ରଜା ହୁସେନ୍‌ଙ୍କ କ୍ରିଏଟିଭ ପାୱାର ‘ଦ ଫିଫ୍ଟି ଡେଡ ୱାର’ ମାଧ୍ୟମରେ ଭାରତକୁ ଏକ ମେଗା ଥିଏଟର ଉତ୍ପାଦନ କରିପାରିଥିଲା। ହୁସେନ୍ ‘ଦ ଫିଫ୍ଟି ଡେଡ ୱାର’ରେ କାର୍ଗିଲର କାହାଣୀକୁ ଏପରି ଭାବରେ ବର୍ଣ୍ଣନା କରିଥିଲେ ଯେ ଆଜି ପର୍ଯ୍ୟନ୍ତ କେହି ଶୁଣି ନାହାଁନ୍ତି। ସେ ମଞ୍ଚରେ ଯୀଶୁ ଖ୍ରୀଷ୍ଟ-ସୁପରଷ୍ଟାର ଏବଂ ଦି ଲିଜେଣ୍ଡ ଅଫ୍ ରାମ ମଧ୍ୟ ଉପସ୍ଥାପନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବରିଷ୍ଠ ଅଭିନେତା ଶରଥ ବାବୁଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ବରିଷ୍ଠ ଅଭିନେତା ଶରଥ ବାବୁଙ୍କର 71 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବହୁ ଚଳଚିତ୍ରରେ ଅଭିନେତା ଭାବେ ଅଭିନୟ କରିଛନ୍ତି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ସେ ଜଣ ପରିଚିତ ନାମ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ଅଭିନେତା ଶ୍ରୀ ଶରଥ ବାବୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଶରଥ ବାବୁ ଜୀ ବହୁମୁଖୀ ଓ ସୃଜନଶୀଳ ଥିଲେ। ନିଜ ଦୀର୍ଘ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ଭାଷାରେ କରିଥିବା ବହୁ ଲୋକପ୍ରିୟ ଫିଲ୍ମ ପାଇଁ ସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି। ଓମ ଶାନ୍ତି ।”

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

କିଶୋର କୁମାର, ନା ଗାୟକ, ନା ଅଭିନେତା, ନା ତାରକା- ସେ ପ୍ରତି ହୃଦୟର ମୃଦୁ ମଧୁର କମ୍ପନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡଓ୍ବା ସହରର ଜଣାଶୁଣା ଓକିଲ କୁଞ୍ଜିଲାଲ୍‌ଙ୍କ ଘରେ ଅଗଷ୍ଟ ୪, ୧୯୨୯ ତାରିଖରେ କିଶୋର କୁମାର ଜନ୍ମଗ୍ରହଣ କରିଥିଲେ । କିଶୋର କୁମାରଙ୍କ ପ୍ରକୃତ ନାମ ଆଭାସ କୁମାର ଗାଙ୍ଗୁଲି । ନିଜ ଜନ୍ମସ୍ଥାନକୁ ସେ ଜୀବନର ପ୍ରତିକ୍ଷଣରେ ମନେ ପକାଉଥିଲେ । ସାର୍ବଜନିକ ମଞ୍ଚ  ଉପରେ ସେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାସମୟରେ, ତାଙ୍କୁ ସମ୍ମାନର ସହିତ ଖଣ୍ଡଓ୍ବାର କିଶୋର କୁମାର କୁହାଯାଉଥିଲା । ନିଜ ଜନ୍ମଭୂମି ପ୍ରତି ତାଙ୍କର ପ୍ରେମ ଅନନ୍ୟ । କୋଚିନ୍‌ରେ ଖ୍ରୀଷ୍ଟିଆନ୍‌ କଲେଜରେ ନିଜର କଲେଜ୍‌ ଶିକ୍ଷା ସମାପ୍ତ କରିଥିଲେ । କଲେଜରେ ପଢିବା ସମୟରେ କଲେଜ କ୍ୟାଣ୍ଟିନ୍‌ରୁ ଉଧାର ନେଇ ଖାଦ୍ୟ ଖାଇବା ସହିତ ନିଜ ସାଙ୍ଗସାଥୀଙ୍କୁ ମଧ୍ୟ ଖୁଆଉଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ଗୀତ ‘ପାଞ୍ଚ ରୂପେୟା ବାରା ଆନା’ର ଗୀତଟି ତାଙ୍କ କଲେଜ ଜୀବନ ସ୍ମୃତି ଏକ ଅଂଶବିଶେଷ । କ୍ୟାଣ୍ଟିନ୍‌ରୁ ଉଧାର କରି ଖାଇ ଖାଇ ଯେତେବେଳେ କ୍ୟାଣ୍ଟିନ୍‌ ବାଲାର ପାଞ୍ଚ ରୂପେୟା ବାରା ଆନା ଉଧାର ହୋଇଗଲା, ସେତେବେଳେ ସେ କ୍ୟାଣ୍ଟିନ୍‌ବାଲା ତାଙ୍କୁ ପଇସା ମାଗିବା ସମୟରେ ସେ ଏହି ଗୀତର ଧୂନ୍‌କୁ ଗୁଣୁଗୁଣାଇ କ୍ୟାଣ୍ଟିନ୍‌ ବାଲାର କଥାକୁ ଧ୍ୟାନ ଦେଉନଥିଲେ । ପରବର୍ତ୍ତୀ ସମୟରେ ଗୋଟେ ଗୀତରେ ଏହି ପାଞ୍ଚ ରୂପାୟା ବାରା ଆନାକୁ ବହୁତ ସୁନ୍ଦର ଭାବରେ ବ୍ୟବହାର କରିଥିଲେ ।

ଭାରତୀୟ ସିନେମାର ସ୍ବର୍ଣ୍ଣିମ କାଳରେ କିଶୋର ଦା’ ବଲିଉଡରେ ସଂଘର୍ଷ କରିଥିଲେ, ଯେତେବେଳେ ତାଙ୍କ ଭାଇ ଅଶୋକ କୁମାର ଏକ ସଫଳ ତାରକା ରୂପେ ଅବସ୍ଥାପିତ ହୋଇସାରିଥିଲେ । ଯେଉଁ ସମୟରେ ଦିଲ୍ଲୀପ କୁମାର, ରାଜ କପୁର୍‌, ଦେବ ଆନନ୍ଦ, ବଲରାଜ ସାହାଣୀ, ଗୁରୁଦତ୍ତ ଓ ରହମାନ ପରି କଳାକାରଙ୍କ ସହିତ ମହମ୍ମଦ ରଫି, ମୁକେଶ, ତଲଦ୍‌ ମହମ୍ମୁଦ ଓ ମନ୍ନା ଡେ’ପରି କିମ୍ବଦନ୍ତୀ ଗାୟକମାନେ ବଲିଉଡ୍‌ରେ ରାଜ୍‌ କରୁଥିଲେ, ସେହି ସମୟରେ କିଶୋର କୁମାର ପ୍ରଥମେ ଅଭିନେତା ରୂପେ ଫିଲ୍ମ ‘ଶିକାରୀ’ (୧୯୪୬) ନିଜ ଅଭିନୟ ଜୀବନ ଆରମ୍ଭ  କରିଥିଲେ । ଏହି ଫିଲ୍ମରେ ତାଙ୍କ ବଡ଼ ଭାଇ ତଥା ଲୋକପ୍ରିୟ ଅଭିନେତା ଅଶୋକ କୁମାର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ତେବେ କିଶୋର କୁମାରଙ୍କୁ  ପ୍ରଥମଥର ପାଇଁ ‘୧୯୪୮ ମସିହାରେ ନିର୍ମିତ ଫିଲ୍ମ ‘ଜିଦ୍‌’ରେ ଗୀତ ଗାଇବାର ସୁଯୋଗ ମିଳିଲା । ସେ ଏହି ଫିଲ୍ମରେ ଦେବ ଆନନ୍ଦଙ୍କ ପାଇଁ ଗୀତ ଗାଇଥିଲେ ।

କିଶୋର କୁମାର ତାଙ୍କ ସମୟର ମହାନ ଗାୟକ କୁନ୍ଦନଲାଲ  ସହଗଲ୍‌ଙ୍କ ବଡ଼ ପ୍ରଶଂସକ ଥିଲେ ।  ପ୍ରାଥମିକ ଜୀବନରେ କିଶୋର କୁମାରଙ୍କ ଗୀତ ଗାଇବାର ଶୈଳୀରେ ସେହେଗଲଙ୍କ ଛାପ ବେଶ୍‌ ସ୍ପଷ୍ଟ ରହିଥିଲା । ‘ଜିଦ୍‌’ରେ ସଫଳତା ପାଇବା ପରେ ମଧ୍ୟ କିଶୋର କୁମାର ସେତେ ବେଶୀ ଲୋକପ୍ରିୟ ହୋଇପାରିନଥିଲେ । ୧୯୫୧ ମସିହାରେ ଫଣୀ ମଜୁମ୍‌ଦାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ‘ଆନ୍ଦୋଳନ’ରେ ମୁଖ୍ୟ ଅଭିନେତା ରୂପେ ଅଭିନୟ କରିଥିଲେ । କିନ୍ତୁ ଏହି ଫିଲ୍ମଟି ଅସଫଳ ରହିଥିଲା । ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ ବିମଲ ରାୟଙ୍କ ‘ନୌକରୀ’ରେ ଜଣେ ଶିକ୍ଷିତ ବେରୋଜଗାର ଯୁବକର ଭୂମିକା ନିର୍ବାହ କରି ବେଶ୍‌ ସଫଳତା ଅର୍ଜନ କରିପାରିଥିଲେ କିଶୋର କୁମାର ।  ଏହା ପରେ  ‘ବାପ୍‌ ରେ ବାପ୍‌’ (୧୯୫୫), ‘ନୟୀ ଦିଲ୍ଲୀ’ (୧୯୫୬), ’ମି. ମେରୀ’ (୧୯୫୭), ‘ଆଶା’  ଓ ୧୯୫୮ ‘ଚଲତି କା ନାମ ଗାଡି’ ଆଦି ଫିଲ୍ମରେ କାମ କରିଥିଲେ । ‘ଚଲ୍‌ତି କା ନାମ ଗାଡ଼ି’ରେ କିଶୋର କୁମାର ତାଙ୍କ ଦୁଇ ଭାଇ ଅଶୋକ କୁମାର, ଅନୁପ କୁମାରଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଥିଲେ ମଧୁବାଲା । ସବୁଠୁ ମଜାଦାର କଥା ହେଉଛି କିଶୋର କୁମାରଙ୍କ କ୍ୟାରିୟର ପ୍ରାରମ୍ଭରେ କିମ୍ବଦନ୍ତୀ ଗାୟକ ମହମ୍ମଦ ରଫି  କିଶୋର କୁମାରଙ୍କ ପାଇଁ ଗୀତ ଗାଉଥିଲେ । କିଶୋର କୁମାର ଏସ୍‌ଡି ବର୍ମନଙ୍କ ସଙ୍ଗୀତ ସଂଯୋଜନାରେ ଫିଲ୍ମ ‘ପ୍ୟାର୍‌’ (୧୯୫୦)ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ ।  ପରେ ପରେ  ଏସ୍‌ଡି ବର୍ମନଙ୍କ ସହ ‘ବାହାର୍‌’ ଫିଲ୍ମରେ ଗୀତ ଗାଇଥିଲେ । ଏହି ଫିଲ୍ମର ଲୋକପ୍ରିୟ ଗୀତ ‘କୁସୁର ଆପ କା ଔର’ ଏହି ଗୀତଟି ସେ ସମୟରେ ସବୁଠୁ ବଡ ହିଟ୍‌ ସାବ୍ୟସ୍ତ ହୋଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ କିଶୋର କୁମାରଙ୍କୁ ଏସ୍‌ଡି ବର୍ମନ୍‌ ଓ ଅନ୍ୟ ସଙ୍ଗୀତକାର ମାନେ ଏତେ ଗମ୍ଭୀରତାର ସହ ନେଇ ନଥିଲେ । କିନ୍ତୁ  ୧୯୫୭ ମସିହାରେ ଆସିଥିବା ଫିଲ୍ମ ‘ଫଣ୍ଟୁସ’ରେ ’ମେଁ ଦୁଃଖୀ ମନ ମେରେ ଗୀତ ଅପନୀ’ ଗୀତଟି ଏମିତି ଚହଳ ସୃଷ୍ଟି କଲା, ଯାହା ଫଳରେ କିଶୋରଙ୍କ ପ୍ରତିଭା ସର୍ବ ସମ୍ମୁଖକୁ ଆସିଥିଲା । ଆର୍‌ଡି ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କିଶୋର କୁମାର ‘ମୁନିମ ଜୀ’, ‘ଟ୍ୟାକ୍ସି ଡ୍ରାଇଭର’, ‘ଫଣ୍ଟୁସ୍‌’, ‘ନ ଦୋ ଗ୍ୟାରା’, ‘ପେଇଂ ଗେଷ୍ଟ’, ‘ଗାଇଡ୍‌’, ’ଜୁଏଲ୍‌ ଥିଫ୍‌’, ‘ପ୍ରେମ ପୁଜାରୀ’, ‘ତେରେ ମେରେ ସପନେ’ ଆଦି ଫିଲ୍ମର ନିଜର ଯାଦୁକରୀ ସ୍ବରରେ ସଙ୍ଗୀତ ଦୁନିଆରେ ଚହଳ ପକାଇଥିଲେ । କିଶୋର କୁମାର ୧୯୪୦ରୁ ୧୯୮୦ ମଧ୍ୟରେ ନିଜ କ୍ୟାରିଅର୍‌ ସବୁଠୁ ଅଧିକ ୫୭୪ଟି ଗୀତ ଗାଇଥିଲେ । କିଶୋର କୁମାରଙ୍କ ସବୁଠୁ ବିଶେଷତ୍ବ ହେଉଛି ସେ ବଲିଉଡ୍‌ରେ ତିନି ପିଢିର ଲୋକପ୍ରିୟ ନାୟକଙ୍କ ପାଇଁ କଣ୍ଠଦାନ କରିଛନ୍ତି । ଦେବ ଆନନ୍ଦଙ୍କଠୁ ଆରମ୍ଭ କରି ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ପ୍ରମୁଖଙ୍କ ପାଇଁ ଗୀତ ଗାଇଛନ୍ତି କିଶୋର ଦା’ । ଏବଂ ସମସ୍ତଙ୍କ ପାଇଁ ସେ ଏପରି ଗୀତ ଗାଆନ୍ତି,  ଯେମିତିକି ସେହି ସମସ୍ତ କଳାକାରଙ୍କ ଭିତରେ ନିଜେ କିଶୋର ଦା’ ତାଙ୍କ ଅନ୍ତର ଭିତରୁ ଗୀତ ଗାଉଛନ୍ତି । କିଶୋର କୁମାର ୮୧ ଫିଲ୍ମରେ ଅଭିନୟ କରିଥିବାବେଳେ ଏଥିରୁ ୧୮ଟି ଫିଲ୍ମର ନିର୍ଦ୍ଦେଶନା ସେ ନିଜେ ହିଁ ଦେଇଥିଲେ ।

୭୦ଦଶକ କିଶୋର କୁମାରଙ୍କ ଗାୟକୀ ପାଇଁ ଏକ ସ୍ବର୍ଣ୍ଣିମ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦଶକରେ କିଶୋର କୁମାରଙ୍କ ବହୁ ଲୋକପ୍ରିୟ ଗୀତ ଆସିଥିଲା । ‘କଟୀ ପତଙ୍ଗ‘ (୧୯୭୦), ‘ଅମର ପ୍ରେମ’ (୧୯୭୧), ବୁଢା ମିଲ ଗୟା (୧୯୭୧), ‘ମେରେ ଜୀବନ ସାଥୀ (୧୯୭୨), ପରିଚୟ (୧୯୭୨), ‘ଅଭିମାନ’ (୧୯୭୩), ‘କୋରାକାଗଜ’ (୧୯୭୪), ‘ମିଲି’ (୧୯୭୫), ‘ଆନ୍ଧି’ (୧୯୭୫), ‘ଖୁଶୁବୁ’ (୧୯୭୫) ଆଦି ଫିଲ୍ମରେ ଗୀତ ଗାଇ ବଲିଉଡ୍‌ରେ ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛନ୍ତି କିଶୋର ଦା’ ।

କିଶୋର କୁମାର ‘ଆରାଧନା’ (୧୯୬୯)ର ’ରୂପ ତେରା ମସ୍ତାନା….’ଗୀତ ପାଇଁ ପ୍ରଥମ ଫିଲ୍ମଫେୟାର୍‌ ଆଓ୍ବାର୍ଡ ପାଇଥିଲେ ।  ‘ଅମାନୁଷ୍‌’ (୧୯୭୫) ପାଇଁ ଦିଲ୍‌ ଐସା କିସି ନେ ମେରା….’ , ‘ଡନ୍‌’ (୧୯୭୮) ଫିଲ୍ମର ‘ଖାଇକେ ପାନ୍‌ ବନାରସଓ୍ବାଲା…’, ‘ଥୋଡିସି ବେଓ୍ବଫାଇ’ (୧୯୮୦) ‘ହଜର୍‌ ରହେ ମୁଡ୍‌କେ ଦେଖେ…’, ’ନମକ ହଲାଲ୍‌’ (୧୯୮୨) ‘ପଗ୍‌ ଘୁଙ୍ଗୁର୍‌ ବାନ୍ଧ୍‌’, ‘ଅଗର ତୁମ୍‌ ନା ହୋତେ’ (୧୯୮୩)ର  ଅଗର୍‌ ତୁମ ନା ହୋତେ….’, ‘ସାଗର’ (୧୯୮୫) ଫିଲ୍ମର ‘ସାଗର କିନାରେ ଦିଲ୍‌ ହମାରେ’…..’ ପାଇଁ ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି କିଶୋର ଦା’ ।

୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଏକ ସରକାରୀ ସମାରୋହରେ ଅଂଶଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ । ତତ୍କାଳୀନ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳା ଏଥିନିମେନ୍ତ କିଶୋର କୁମାରଙ୍କ ଗୀତକୁ ଆକାଶବାଣୀରେ ପ୍ରସାରଣ ହେବା ଉପରେ ରୋକ ଲଗାଇବା ସହିତ କିଶୋର କୁମାରଙ୍କ ଘର ଆୟକର ବିଭାଗର ଚଢାଉ କରିଥିଲେ ।  କିନ୍ତୁ କିଶୋର ଦା’ ଜରୁରୀକାଳୀନ ପରିସ୍ଥିତି ସମର୍ଥନ କରିନଥିଲେ । ସେହି ସମୟରେ କିଶୋର କୁମାରଙ୍କ ଦ୍ବାରା ନିର୍ମିତ ଫିଲ୍ମ ଉପରେ ମଧ୍ୟ ଆୟକର ବିଭାଗ ଚଢାଉ କରି ଜବତ କରିଦେଇଥିଲେ ।

ଅଭିନୟ ଓ ସଙ୍ଗୀତର ଯାଦୁଗର ଥିବା କିଶୋର ଦା’ କିନ୍ତୁ ସମ୍ପର୍କର ମାୟାଜାଲ ଭିତରେ ଘୂରି ରହିଥିଲେ । ନିଜ ଜୀବନରେ ୪ଥର ବିବାହ କରିଥିବା କିଶୋର ଦା’ ସମ୍ପର୍କକୁ ନେଇ ବେଶ୍‌ ସନ୍ଦିହାନ ରହିଥିବାର ମନେ ହୁଏ । କିଶୋର କୁମାର ପ୍ରଥମେ ରୂମା ଦେବୀଙ୍କ ସହ ବିବାହ କରିଥିଲେ । ପରେ ସେ ତାଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କୁ ବିବାହ କରିଥିଲେ । ମଧୁବାଲାଙ୍କ ପରି ସୁନ୍ଦରୀ ପତ୍ନୀଙ୍କୁ ବିବାହ କରିବା ପରେ ମଧ୍ୟ କିଶୋର କୁମାରଙ୍କ ତୃତୀୟ ପତ୍ନୀ ରହିଥିଲେ ବନୀ । ୧୯୬୧ ମସିହାରେ ଫିଲ୍ମ ‘ଝୁମରୁ’ରେ ଦୁହେଁ ଏକତ୍ର ନଜର ଆସିଥିଲେ । ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ନିଜେ କିଶୋର ଦା’ ହିଁ ଥିଲେ । ପରେ ଦୁହେଁ ‘୧୯୬୨ରେ ‘ହାଫ୍‌ ଟିକେଟ’ରେ କାମ କରିଥିଲେ, ଯେଉଁ ଫିଲ୍ମରେ କିଶୋର କୁମାରଙ୍କ କମେଡ଼ି ଆଜି ବି ବେଶ୍‌ ପ୍ରସିଦ୍ଧ । ୧୯୬୯ରେ ମଧୁବାଲାଙ୍କ ମୃତ୍ୟୁ ପରେ ୧୯୭୬ରେ କିଶୋର କୁମାର ଯୋଗିତା ବାଲିଙ୍କୁ ବିବାହ କରିଥିଲେ । ଦୁହେଁ କିଛି ମାସ ଏକାଠି ରହିବା ପରେ ଯୋଗିତା ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପୁନଃବିବାହ କରିଥିଲେ । ୧୯୮୦ ମସିହାରେ କିଶୋର କୁମାର ଚତୁର୍ଥ ବିବାହ ଲୀନା ଚନ୍ଦ୍ରାଓ୍ବକର୍‌ଙ୍କୁ କରିଥିଲେ । ଲୀନା କିଶୋରଙ୍କ ବଡ଼ ପୁଅ ଅମିତ୍‌ କୁମାରଙ୍କଠାରୁ ମାତ୍ର ଦୁଇ ବର୍ଷ ବଡ଼ ଥିଲେ ।  ୧୯୮୭ ମସିହା ଅକ୍ଟୋବର ୧୩ ତାରିଖରେ ମାତ୍ର ୫୮ ବର୍ଷ ବୟସରେ କିଶୋର କୁମାର  ଦୁନିଆକୁ ଅଲ୍‌ବିଦା କରି ଚାଲିଗଲେ, ହେଲେ ତାଙ୍କ ଗୀତ ଓ ତାଙ୍କର ଅଭିନୟ ତାଙ୍କୁ ଚିରକାଳ ଅମର କରି ରଖିଥିବ।