ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲିକ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କ ଅସୁବିଧା ଆହୁରି ବଢ଼ିଯାଇଛି। ପାକିସ୍ତାନ ଓ ବିଭିନ୍ନ ଆତଙ୍କବାଦୀ ସଂଗଠନରୁ ହୱାଲା ମାଧ୍ୟମରେ ୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହାସଲ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ’ (ପିଏମଏଲଏ) ଅଧୀନରେ ଚାର୍ଜ ଫ୍ରେମ୍ କରିବାକୁ ନୂଆଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତମାନଙ୍କ ବିରୋଧରେ ଆତଙ୍କୀ ଆର୍ଥିକ କାରବାରର ଯଥେଷ୍ଟ ପ୍ରମାଣ ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ପାକିସ୍ତାନ ତଥା ବିଭିନ୍ନ ଆତଙ୍କବାଦୀ ସଂଗଠନରୁ ହୱାଲା ଏବଂ ଅନ୍ୟାନ୍ୟ ବେଆଇନ୍ ମାଧ୍ୟମରେ ମୋଟ ୮.୯୪ କୋଟି ଟଙ୍କା ସଂଗ୍ରହ କରିଥିଲେ ଏବଂ ଏହି ଅର୍ଥ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚାଯାଇଥିଲା। ୟାସିନ୍ ମଲିକଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ଜହୁର ଅହମ୍ମଦ ଶାହା ୱାତାଲୀ, ଅବ୍ଦୁଲ ରସିଦ ଶେଖ, ଶବିର ଅହମ୍ମଦ ଶାହା, ନବଲ କିଶୋର କପୁର, ହାଇସନ୍ ଫାର୍ମସ ଆଣ୍ଡ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମସରତ ଆଲମ ସାମିଲ ଅଛନ୍ତି। ଅପରାଧିକ କାର୍ଯ୍ୟକଳାପରୁ ଅର୍ଜିତ ଏହି ବେଆଇନ୍ ଅର୍ଥର ତଦନ୍ତ ପାଇଁ ଇଡି୨୦୧୭ ଜୁନ୍ ୧୪ରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା।
ସୂଚନାଯୋଗ୍ୟ, ୟାସିନ୍ ମଲିକ ‘ଜମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ’ (ଜେକେଏଲଏଫ) ର ମୁଖ୍ୟ ଥିଲେ ଏବଂ ୧୯୯୦ ଦଶକରୁ ସେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଥା ହିଂସାରେ ଲିପ୍ତ ରହିଆସିଥିଲେ। ତେବେ ୧୯୯୪ ମସିହାରେ ସେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ଘୋଷଣା କରି ନିଜକୁ ବିଚ୍ଛିନ୍ନତାବାଦୀ ନେତା ଭାବେ ଉପସ୍ଥାପନ କରିବା ସହ ହୁରିୟତ କନଫରେନ୍ସ ସହ ଯୋଡ଼ି ହୋଇ ଦୀର୍ଘ ଦିନ ଧରି କାଶ୍ମୀର ବିଚ୍ଛିନ୍ନତାବାଦୀ ରାଜନୀତିର ଚେହେରା ପାଲଟିଥିଲେ। ୨୦୨୨ ମେ’ ମାସରେ ଦିଲ୍ଲୀର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ଟେରର ଫଣ୍ଡିଂ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ସେ ବର୍ତ୍ତମାନ ଦିଲ୍ଲୀର ତିହାଡ଼ ଜେଲ୍ରେ ବନ୍ଦୀ ଅଛନ୍ତି।


