ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାସ୍ଥିତ ଦେବୀଆଗଡ଼ ସମୁଦ୍ରକୂଳରେ ପିକ୍ନିକ୍ ମନାଉଥିବା ବେଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ପୁଣେର ଆଲାଣ୍ଡିସ୍ଥିତ ‘ଘରୋଇ କୋଚିଂ ସେଣ୍ଟର ଡ୍ରିମର ଏକାଡେମୀ’ର ୮ ଜଣ ଛାତ୍ର ସମୁଦ୍ରର ପ୍ରବଳ ଲହଡ଼ିରେ ଭାସିଯାଇ ପ୍ରାଣ ହରାଇଛନ୍ତି। ବହୁତ ସମୟ ଧରି ଖୋଜାଖୋଜି ପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ମୃତ ଛାତ୍ରଙ୍କ ବୟସ ପ୍ରାୟ ୧୬ ବର୍ଷ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ସମ୍ପୃକ୍ତ ଏକାଡେମୀରୁ ୨୫ ଜଣ ଛାତ୍ର, ୧୨ ଜଣ ଛାତ୍ରୀ ଓ ୪ ଜଣ ଶିକ୍ଷକଙ୍କୁ ମିଶାଇ ମୋଟ ୪୧ ଜଣିଆ ଏକ ଦଳ ସମୁଦ୍ରକୂଳକୁ ବୁଲିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୪:୩୦ ସମୟରେ ବେଳାଭୂମିରେ ଭୋଜିଭାତ ଚାଲିଥିବା ବେଳେ ଏହି ୮ ଜଣ ଛାତ୍ର ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ। ସେତିକି ବେଳେ ପ୍ରବଳ ସମୁଦ୍ର ସ୍ରୋତରେ ସେମାନେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ, ୱାଟର ସ୍ପୋର୍ଟସ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସମୁଦ୍ରକୁ ଓହ୍ଲାଇ ଖୋଜାଖୋଜି ଆରମ୍ଭ କରିଥିଲେ। ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବୋର୍ଲିସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।


