ଭୁବନେଶ୍ୱର: ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ୧୯୯୩ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଆସନ୍ତା ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ନେବେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ତାଙ୍କର କାର୍ଯ୍ୟକାଳ ଆଉ ୩ ମାସ ବଢ଼ିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ଡିଜିପି ୱାଇ.ବି ଖୁରାନିଆଙ୍କ ଅବସର ପରେ ଶ୍ରୀ ମିଶ୍ର ଓଡ଼ିଶା ସିଆଇଡି-ସିବି ଡିଜି ସହ ଡିଜିପି ଦାୟିତ୍ୱ ସମ୍ଭାଳି ଆସୁଥିଲେ। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଚାକିରିରୁ ଅବସର ନେଇଥିବା ବେଳେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନକୁ ପରବର୍ତ୍ତୀ ଡିଜିପି ନିଯୁକ୍ତି ପାଇଁ ଚୟନ ତାଲିକାଚୂଡ଼ାନ୍ତ ନକରିବାକୁ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏକ ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିଥିଲେ। ତେଣୁ ବିନୟତୋଷ ମିଶ୍ରଙ୍କୁ ଡିଜିପି ପଦରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସେ ଓଡ଼ିଶା ସିଆଇଡି-ସିବିର ମହାନିର୍ଦ୍ଦେଶକ ସହିତ ଡିଜିପି ତଥା ପୋଲିସ ବାହିନୀର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ନଭେମ୍ବର ୩୦ ତାରିଖରେ ତାଙ୍କର ଅବସର ପରେ ଜଣେ ନିୟମିତ ପୁଲିସ ମୁଖ୍ୟ ନିଯୁକ୍ତ ହେବେ। ପ୍ରମୁଖ ଦାବିଦାରମାନଙ୍କ ମଧ୍ୟରେ ସଞ୍ଜୀବ ପଣ୍ଡା, ଅଗ୍ନିଶମ ସେବା ଡିଜିପି ସୁଧାଂଶୁ ଷଡ଼ଙ୍ଗୀ ଏବଂ ବରିଷ୍ଠ ଆଇପିଏସ୍ ଅଧିକାରୀ ଆର ପି. କୋଚେ ଅନ୍ତର୍ଭୁକ୍ତ ଅଛନ୍ତି।


