ନୂଆଦିଲ୍ଲୀ: ପଞ୍ଜାବର ତାରନ୍ ତାରନ୍ ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ୍)ର ଯବାନମାନେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିବା ବେଳେ ଜଣେ ଖସି ପଳାଇବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ରାଜୋକେ ସୀମା ଚୌକି ନିକଟରେ ବିଏସ୍ଏଫ୍ ଯବାନମାନେ ଥର୍ମାଲ୍ ଇମେଜିଙ୍ଗ୍ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୩ ଜଣ ସନ୍ଦିଗ୍ଧଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ। ପାକିସ୍ତାନର ‘ଚଟ୍ଟାନୱାଲା’ ଅଞ୍ଚଳରୁ କଣ୍ଟାତାର ବାଡ଼ ଓ ଅନ୍ଧକାରର ସୁଯୋଗ ନେଇ ଏହି ସନ୍ଦିଗ୍ଧମାନେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିଲେ। ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥଗିତ ରହିବା ସହ ପଛଘୁଞ୍ଚା ଦେବାକୁ ଚେତାବନୀ ଦିଆଯାଇଥିଲା। ମାତ୍ର ସେମାନେ ଚେତାବନୀକୁ ଆଡ଼ମ୍ବର କରି ଆଗକୁ ବଢ଼ିବାରୁ ସୁରକ୍ଷା ଦୃଷ୍ଟିରୁ ବିଏସଏଫ୍ ଗୁଳିଚାଳନା କରିଥିଲା। ଗୁଳିମାଡ଼ରେ ୨ ଜଣ ସନ୍ଦିଗ୍ଧ ଘଟଣାସ୍ଥଳରେ ନିହତ ହୋଇଥିବା ବେଳେ ତୃତୀୟ ଜଣକ ପୁଣି ପାକିସ୍ତାନ ସୀମା ଆଡ଼କୁ ଫରାର୍ ହୋଇଯାଇଛି।
ତଦନ୍ତକାରୀ ଅଧିକାରୀ ଅତୁଲ ସୋନିଙ୍କ କହିବାନୁଯାୟୀ, ନିହତ ଦୁଇ ଜଣ ପାକିସ୍ତାନୀ ନାଗରିକ ଏବଂ ସେମାନେ ଅସ୍ତ୍ରଶସ୍ତ୍ର କିମ୍ବା ନିଶାଦ୍ରବ୍ୟ ଚୋରା ଚାଲାଣ ପାଇଁ ଭାରତ ଭିତରକୁ ପଶୁଥିବା ସନ୍ଦେହ କରାଯାଉଛି। ଗତ ୭ ମାସ ମଧ୍ୟରେ ତାରନ୍ ତାରନ୍ ସେକ୍ଟରରେ ଏହା ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ଘଟଣା ପରେ ସମଗ୍ର ସୀମାଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲୁ ରହିଛି। ବିଏସ୍ଏଫ୍ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


