ନୂଆଦିଲ୍ଲୀ: କେରଳ ନାଁ ଶୁଣିଲେ ଆଖି ଆଗରେ ଭାସିଉଠେ ସବୁଜ ପାହାଡ଼, ନଡ଼ିଆ ଗଛଘେରା ବେଳାଭୂମି, ଚା’ ବଗିଚା ଓ ମନମୋହକ ବ୍ୟାକ୍ୱାଟର୍। ଯଦି ଆପଣ ଏକାଥରେ କେରଳର ପ୍ରକୃତି, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ଉପଭୋଗ କରିବାକୁ ଚାହୁଁଛନ୍ତି, ତେବେ IRCTCର ଏହି ଟୁର୍ ପ୍ୟାକେଜ୍ ଆପଣଙ୍କ ପାଇଁ ଆକର୍ଷଣୀୟ ବିକଳ୍ପ ହୋଇପାରେ।
ଏହି ୭ ରାତି ଓ ୮ ଦିନର କେରଳ ଟୁର୍ ପ୍ୟାକେଜ୍ରେ କୋଚି, ମୁନ୍ନାର, ଥେକାଡି, କୁମାରକୋମ୍ ଏବଂ ତ୍ରିଭେନ୍ଦ୍ରମ୍ ଭଳି ପ୍ରମୁଖ ସ୍ଥାନ ସାମିଲ ରହିଛି। ବିଶେଷ ଆକର୍ଷଣ ହେଉଛି ବ୍ୟାକ୍ୱାଟର୍ରେ ହାଉସବୋଟ୍ ରହଣି। ଏହି ପ୍ୟାକେଜ୍ର ଯାତ୍ରା ଭୋପାଳରୁ ଆରମ୍ଭ ହୋଇ କେରଳର ବିଭିନ୍ନ ସ୍ଥାନ ବୁଲି ତ୍ରିଭେନ୍ଦ୍ରମ୍ରୁ ଭୋପାଳ ଫେରିବ।
କେବେଠାରୁ କେବେ ଯାଏଁ କେରଳ ଟୁର୍?
IRCTCର ଏହି କେରଳ ପ୍ୟାକେଜ୍ ୨୫ ନଭେମ୍ବର ୨୦୨୬ରୁ ୨ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ରହିବ। ଭୋପାଳରୁ କୋଚି ପାଇଁ ବିମାନ ଯାତ୍ରାରେ ଟୁର୍ ଆରମ୍ଭ ହେବ ଏବଂ ତ୍ରିଭେନ୍ଦ୍ରମ୍ରୁ ବିମାନ ଯୋଗେ ଭୋପାଳ ଫେରିବା ବ୍ୟବସ୍ଥା ରହିଛି।
କେରଳ ଟୁର୍ ପ୍ୟାକେଜ୍ର ଦାମ କେତେ?
ଏହି ଡିଲକ୍ସ ପ୍ୟାକେଜ୍ର ଭଡ଼ା ପ୍ରତି ବ୍ୟକ୍ତି ₹୬୪,୩୦୦ରୁ ଆରମ୍ଭ ହେଉଛି। ଡବଲ୍/ଟ୍ୱିନ୍ ସେୟାରିଂ ପାଇଁ ପ୍ରତି ବ୍ୟକ୍ତି ₹୬୬,୩୦୦ ଭଡ଼ା ରହିଛି।
୮ ଦିନରେ କେରଳର କେଉଁ କେଉଁ ସ୍ଥାନ ବୁଲିବେ?
ଦିନ ୧: ଭୋପାଳରୁ କୋଚି
ଯାତ୍ରା ଭୋପାଳ ବିମାନବନ୍ଦରରୁ ସକାଳର ବିମାନ ଯୋଗେ ଆରମ୍ଭ ହେବ। କୋଚିରେ ପହଞ୍ଚିବା ପରେ ହୋଟେଲକୁ ନିଆଯିବ। ସନ୍ଧ୍ୟାରେ ମାରିନ୍ ଡ୍ରାଇଭ୍ ବୁଲିବାର ସୁଯୋଗ ମିଳିବ। ଏହାପରେ ରାତ୍ରୀଭୋଜନ ଓ ହୋଟେଲରେ ରାତ୍ରିଯାପନ।
ଦିନ ୨: କୋଚିରୁ ମୁନ୍ନାର
ନାସ୍ତା ପରେ କୋଚିରୁ ସଡ଼କ ପଥରେ ମୁନ୍ନାର ଅଭିମୁଖେ ଯାତ୍ରା। ରାସ୍ତାରେ ଚିୟାପାରା ଜଳପ୍ରପାତ ଦେଖିବାର ସୁଯୋଗ ରହିବ। ମୁନ୍ନାର ପହଞ୍ଚିବା ପରେ ହୋଟେଲରେ ଚେକ୍-ଇନ୍ କରାଯିବ। ସନ୍ଧ୍ୟାରେ ଚା’ ସଂଗ୍ରହାଳୟ ପରିଦର୍ଶନ କରିପାରିବେ।
ଏହାସହ ଇଚ୍ଛୁକ ପର୍ଯ୍ୟଟକଙ୍କ ପାଇଁ ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ବିକଳ୍ପ ରହିବ। ତେବେ ଏଥିପାଇଁ ଟିକେଟ୍ ଓ ପ୍ରବେଶ ଶୁଳ୍କ ଅଲଗା ଦେବାକୁ ପଡ଼ିବ।
ଦିନ ୩: ମୁନ୍ନାର ଭ୍ରମଣ
ତୃତୀୟ ଦିନ ମୁନ୍ନାରର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲିବାର ସୁଯୋଗ ମିଳିବ। ଏରାଭିକୁଲମ୍ ଜାତୀୟ ଉଦ୍ୟାନ, ମାଟୁପେଟି ଡ୍ୟାମ୍, ଇକୋ ପଏଣ୍ଟ ଓ କୁଣ୍ଡାଲା ହ୍ରଦ ଏହି ଦିନର ମୁଖ୍ୟ ଆକର୍ଷଣ।
ବାକି ସମୟ ପର୍ଯ୍ୟଟକମାନେ ନିଜ ଇଚ୍ଛା ଅନୁସାରେ ବିତାଇପାରିବେ। ରାତିରେ ମୁନ୍ନାର ହୋଟେଲରେ ରହଣି।
ଦିନ ୪: ମୁନ୍ନାରରୁ ଥେକାଡି
ନାସ୍ତା ପରେ ମୁନ୍ନାରରୁ ଥେକାଡି ଅଭିମୁଖେ ଯାତ୍ରା। ହୋଟେଲରେ ଚେକ୍-ଇନ୍ ପରେ ଅପରାହ୍ନରେ ପେରିୟାର ବନ୍ୟପ୍ରାଣୀ ଅଭୟାରଣ୍ୟରେ ବୋଟ୍ ରାଇଡ୍ର ବିକଳ୍ପ ରହିବ।
ତେବେ ବୋଟ୍ ରାଇଡ୍ର ଖର୍ଚ୍ଚ ପ୍ୟାକେଜ୍ରେ ସାମିଲ ନାହିଁ। ଯାତ୍ରୀମାନଙ୍କୁ ନିଜ ଖର୍ଚ୍ଚରେ ଟିକେଟ୍ କରିବାକୁ ପଡ଼ିବ ଏବଂ ଟିକେଟ୍ ଉପଲବ୍ଧତା ପୂର୍ବରୁ ନିଶ୍ଚିତ କରିବା ଆବଶ୍ୟକ।
ଦିନ ୫: ଥେକାଡିରୁ କୁମାରକୋମ୍, ହାଉସବୋଟ୍ ରହଣି
ପଞ୍ଚମ ଦିନ ଥେକାଡିରୁ କୁମାରକୋମ୍ ଯାତ୍ରା କରାଯିବ। ଏଠାରୁ ହାଉସବୋଟ୍ରେ ଚେକ୍-ଇନ୍ କରି ବ୍ୟାକ୍ୱାଟର୍ର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ହାଉସବୋଟ୍ରେ ମଧ୍ୟାହ୍ନ ଭୋଜନ ସହ ବ୍ୟାକ୍ୱାଟର୍ କ୍ରୁଜ୍ର ବ୍ୟବସ୍ଥା ରହିଛି। କ୍ରୁଜ୍ ସାଧାରଣତଃ ଦିନ ୧୨ଟାରୁ ୧ଟା ୩୦ ଏବଂ ଅପରାହ୍ନ ୩ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ହାଉସବୋଟ୍ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ ଏବଂ ରାତି ସେଠାରେ ହିଁ କଟିବ।
ଦିନ ୬: କୁମାରକୋମ୍ରୁ ତ୍ରିଭେନ୍ଦ୍ରମ୍
ନାସ୍ତା ପରେ ହାଉସବୋଟ୍ରୁ ଓହ୍ଲାଇ ତ୍ରିଭେନ୍ଦ୍ରମ୍ ଅଭିମୁଖେ ଯାତ୍ରା। ରାସ୍ତାରେ ଜଟାୟୁ ଆର୍ଥ ସେଣ୍ଟର, କୋଭାଲମ୍ ବିଚ୍ ଓ ଅଜିମାଲା ଶିବ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ରହିବ।
ପରେ ତ୍ରିଭେନ୍ଦ୍ରମ୍ର ହୋଟେଲରେ ଚେକ୍-ଇନ୍, ରାତ୍ରୀଭୋଜନ ଓ ରାତ୍ରିଯାପନ କରାଯିବ।
ଦିନ ୭: ପଦ୍ମନାଭସ୍ୱାମୀ ମନ୍ଦିର ଓ ଚିଡ଼ିଆଖାନା
ସକାଳ ପ୍ରାୟ ୫ଟାରେ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଦର୍ଶନର ବ୍ୟବସ୍ଥା ରହିଛି। ମନ୍ଦିର ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ପାଳନ କରିବାକୁ ପଡ଼ିବ।
ମନ୍ଦିର ଦର୍ଶନ ପରେ ହୋଟେଲକୁ ଫେରି ନାସ୍ତା କରାଯିବ। ଏହାପରେ ତିରୁବନନ୍ତପୁରମ୍ ଚିଡ଼ିଆଖାନା ପରିଦର୍ଶନ କରିବେ। ସନ୍ଧ୍ୟାରେ ହୋଟେଲକୁ ଫେରି ରାତ୍ରୀଭୋଜନ ଓ ରାତ୍ରିଯାପନ।
ଦିନ ୮: ତ୍ରିଭେନ୍ଦ୍ରମ୍ରୁ ଭୋପାଳ
ଶେଷ ଦିନ ନାସ୍ତା ପରେ ହୋଟେଲରୁ ଚେକ୍-ଆଉଟ୍ କରି ତ୍ରିଭେନ୍ଦ୍ରମ୍ ବିମାନବନ୍ଦରକୁ ନିଆଯିବ। ସେଠାରୁ ବିମାନ ଯୋଗେ ଭୋପାଳ ଫେରିବେ। ଏହା ସହିତ ୮ ଦିନର କେରଳ ଟୁର୍ର ଅନ୍ତ ହେବ।
ପ୍ୟାକେଜ୍ରେ କ’ଣ କ’ଣ ମିଳିବ?
IRCTCର ଏହି ପ୍ୟାକେଜ୍ରେ ଭୋପାଳ-କୋଚି ଏବଂ ତ୍ରିଭେନ୍ଦ୍ରମ୍-ଭୋପାଳ ଇକୋନୋମି କ୍ଲାସ୍ ବିମାନ ଭଡ଼ା, ଡିଲକ୍ସ ହୋଟେଲରେ ରହଣି, କୁମାରକୋମ୍ କିମ୍ବା ଆଲେପିରେ ଗୋଟିଏ ରାତି ହାଉସବୋଟ୍ ରହଣି, ନିର୍ଦ୍ଧାରିତ ଭୋଜନ, ସ୍ଥାନୀୟ ଯାତାୟାତ, ଦର୍ଶନୀୟ ସ୍ଥାନ ପରିଦର୍ଶନ, ଟ୍ରାଭେଲ୍ ଇନ୍ସୁରାନ୍ସ, ପାର୍କିଂ, ଡ୍ରାଇଭର ଭତ୍ତା, ଟୋଲ୍ ଟ୍ୟାକ୍ସ ଓ GST ସାମିଲ ରହିଛି।
ହୋଟେଲରେ ନାସ୍ତା ଓ ରାତ୍ରୀଭୋଜନ ଏବଂ ହାଉସବୋଟ୍ରେ ନାସ୍ତା, ମଧ୍ୟାହ୍ନ ଭୋଜନ ଓ ରାତ୍ରୀଭୋଜନର ବ୍ୟବସ୍ଥା ରହିଛି।
କେଉଁ ଖର୍ଚ୍ଚ ପ୍ୟାକେଜ୍ରେ ନାହିଁ?
ପର୍ଯ୍ୟଟନସ୍ଥଳୀର ପ୍ରବେଶ ଟିକେଟ୍, ବୋଟ୍ ରାଇଡ୍, ଜଙ୍ଗଲ ପ୍ରବେଶ ଶୁଳ୍କ, ସାଂସ୍କୃତିକ କାର୍ଯ୍ୟକ୍ରମର ଟିକେଟ୍, ବ୍ୟକ୍ତିଗତ ଖର୍ଚ୍ଚ, ଅତିରିକ୍ତ ଦର୍ଶନୀୟ ସ୍ଥାନ ଏବଂ ନିର୍ଦ୍ଧାରିତ itinerary ବାହାରେ ଗାଡ଼ି ବ୍ୟବହାରର ଖର୍ଚ୍ଚ ଏହି ପ୍ୟାକେଜ୍ରେ ସାମିଲ ନାହିଁ।
କେରଳ ଟୁର୍ ପ୍ୟାକେଜ୍ର ମୁଖ୍ୟ ଆକର୍ଷଣ
ଏହି ଟୁର୍ର ସବୁଠାରୁ ବଡ଼ ଆକର୍ଷଣ ହେଉଛି ୮ ଦିନରେ କେରଳର ୫ଟି ପ୍ରମୁଖ ସହର ଭ୍ରମଣ ସହ ହାଉସବୋଟ୍ରେ ରାତ୍ରିଯାପନ। ଏକ ଯାତ୍ରାରେ ପାହାଡ଼ିଆ ମୁନ୍ନାର, ବନ୍ୟପ୍ରାଣୀ ପାଇଁ ପ୍ରସିଦ୍ଧ ଥେକାଡି, ବ୍ୟାକ୍ୱାଟର୍ର କୁମାରକୋମ୍, ବେଳାଭୂମିର କୋଭାଲମ୍ ଓ ଐତିହାସିକ-ଧାର୍ମିକ ଆକର୍ଷଣ ତ୍ରିଭେନ୍ଦ୍ରମ୍କୁ ଦେଖିବାର ସୁଯୋଗ ମିଳିବ।


