ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଅକ୍ଟୋବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆନ୍ ପାରା ଗେମ୍ସ ୨୦୨୬ର ଉଦ୍ଘାଟନ ସମାରୋହରେ ପାରାଲିମ୍ପିକ୍ ଚାମ୍ପିଅନ୍ ପ୍ରମୋଦ ଭଗତ ଓ ଭାବିନା ପଟେଲ୍ ଭାରତୀୟ ଦଳର ଧ୍ୱଜାବାହକ ଭାବେ ନେତୃତ୍ୱ ନେବେ। ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଭାରତର ଜଣେ ଅତ୍ୟନ୍ତ ସଫଳ ପାରା ଆଥଲେଟ୍, ଯିଏ ୨୦୧୪ରୁ ୨୦୨୩ ମଧ୍ୟରେ ଏସିଆନ୍ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ଓ ଚାରିଟି ବ୍ରୋଞ୍ଜ୍ ସହ ମୋଟ ଛଅଟି ପଦକ ହାସଲ କରିଛନ୍ତି। ସେହିପରି ପାରା ଟେବଲ୍ ଟେନିସ୍ ଖେଳାଳି ଭାବିନା ପଟେଲ୍ ୨୦୨୮ରୁ ୨୦୨୩ ମଧ୍ୟରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।
ଏହି ଗୌରବପୂର୍ଣ୍ଣ ଦାୟିତ୍ୱ ମିଳିଥିବାରୁ ଭାବିନା ପଟେଲ୍ ଗର୍ବ ଓ ଉତ୍ସାହ ପ୍ରକାଶ କରିବା ସହ ଭାରତୀୟ ଦଳ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଅକ୍ଟୋବର ୮ରେ ଭାରତୀୟ ପାରାଲିମ୍ପିକ୍ କମିଟି (ପିସିଆଇ) ପକ୍ଷରୁ ଆୟୋଜିତ ହେବାକୁ ଥିବା ଦଳର ବିଦାୟ ସମାରୋହରେ କେନ୍ଦ୍ର ଖେଳ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା ମୁଖ୍ୟଅତିଥି ଏବଂ ଯୁବ ବ୍ୟାପାର ଓ ଖେଳ ରାଜ୍ୟମନ୍ତ୍ରୀ ରକ୍ଷା ନିଖିଲ ଖଡ୍ସେ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ। ପିସିଆଇ ଅଧ୍ୟକ୍ଷ ଦେବେନ୍ଦ୍ର ଝାଝାରିୟା ଏହି ଦୁଇ ଖେଳାଳିଙ୍କ ଯୋଗଦାନକୁ ପ୍ରଶଂସା କରି ସେମାନେ ଅନ୍ୟ ଆଥଲେଟ୍ମାନଙ୍କୁ ପ୍ରେରିତ କରିବେ ବୋଲି ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ସ୍ତରରେ ଦେଶର ସଫଳତାକୁ ଆଗେଇ ନେବାକୁ ଲକ୍ଷ୍ୟ ରଖିଛି।


