କୋଲକାତା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମମତା ଏଠାରେ ଏକ ଦୁର୍ଗାପୂଜା ପେଣ୍ଡାଲ ଉଦ୍ଘାଟନ କରି ଫେରୁଥିବା ବେଳେ ତାଙ୍କ ନିଜ ଘର ନିକଟରେ ହିଁ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ, ଜଣେ ମହିଳା କାଳୀଘାଟସ୍ଥିତ ମମତାଙ୍କ ବାସଭବନ ନିକଟରେ ସୁରକ୍ଷା ବଳୟ ଭିତରକୁ ପଶି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଉକ୍ତ ମହିଳାଜଣକ ନିଜକୁ ମମତାଙ୍କ ଭାଣିଜୀ/ଝିଆରୀ ବୋଲି ଦାବି କରିଥିଲେ। ତେବେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ ତୁରନ୍ତ କାବୁ କରି ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି। ଏହି ଘଟଣାରେ ପାର୍ଟି ପକ୍ଷରୁ ଥାନାରେ ଆନୁଷ୍ଠାନିକ ଅଭିଯୋଗ ଦାୟର କରାଯାଇଛି। ଟିଏମ୍ସିର ଜାତୀୟ ମୁଖପାତ୍ର ତଥା ସାଂସଦ ସାକେତ ଗୋଖଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଦାବି କରିଛନ୍ତି ଯେ ଅଭିଯୁକ୍ତ ମହିଳା ନିଶାସକ୍ତ ଅବସ୍ଥାରେ ଥିଲେ। ଏହା ସହିତ ସେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯେତେବେଳେ ଜେଡ୍ ପ୍ଲସ୍ ସୁରକ୍ଷା ପାଇଥିବା ଏବଂ ତିନି ଥରର ମୁଖ୍ୟମନ୍ତ୍ରୀ ରହିସାରିଥିବା ମମତା ବାନାର୍ଜୀ ନିଜ ଘର ସାମ୍ନାରେ ସୁରକ୍ଷିତ ନୁହନ୍ତି, ସେତେବେଳେ ରାଜ୍ୟର ସାଧାରଣ ସୁରକ୍ଷା ବ୍ୟବସ୍ଥାର ସ୍ଥିତି କ’ଣ ହୋଇପାରେ।


