ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ସଫଳତା ହାତେଇଛି। ଉଭୟ ଦେଶ ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଚୂଡ଼ାନ୍ତ ହୋଇସାରିଛି ଏବଂ ଏହାର ଆଇନଗତ ଡ୍ରାଫ୍ଟ ପ୍ରସ୍ତୁତି କାର୍ଯ୍ୟ ଏବେ ଚାଲିଛି। ଖୁବ୍ଶୀଘ୍ର ଏହି ଡ୍ରାଫ୍ଟ ସାର୍ବଜନୀନ କରାଯିବ ବୋଲି ଜଣାପଡ଼ିଛି।
ନୂଆଦିଲ୍ଲୀରେ ଆୟୋଜିତ ଏଫ୍ଆଇସିସିଆଇ (FICCI) ର ଶତାବ୍ଦୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ଦେଶଗୁଡ଼ିକ ତୁଳନାରେ ଭାରତକୁ ଅନୁକୂଳ ତଥା ପ୍ରତିଯୋଗିତାମୂଳକ ସୁବିଧା ମିଳିବା ମାତ୍ରେ ଏହି ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ କରି କାର୍ଯ୍ୟକାରୀ କରାଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ମଧ୍ୟ ସୂଚନା ଦେଇଛନ୍ତି ଯେ, ଆମେରିକାରେ ସାମଗ୍ରିକ ଶୁଳ୍କ ଢାଞ୍ଚା ଆନୁଷ୍ଠାନିକ ହେବା ପରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ।
ଅନ୍ୟପଟେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିର ମୁଖ୍ୟ ବିଷୟଗୁଡ଼ିକ ଚୂଡ଼ାନ୍ତ ହୋଇସାରିଛି ଏବଂ ଆଲୋଚନା ଏକ ‘ଅବିଶ୍ୱସନୀୟ ଦ୍ରୁତ ଗତି’ରେ ଆଗକୁ ବଢ଼ୁଛି। ଭାରତ-ୟୁରୋପୀୟ ୟୁନିଅନ୍ (EU) ବାଣିଜ୍ୟ ଚୁକ୍ତି ସହ ତୁଳନା କରି ସେ ଆମେରିକା ସହ ଆଲୋଚନାର ଗତି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମତ ଦେଇଥିଲେ ଯେ ସେ ଭାରତ ଆସିବାର ମାତ୍ର କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପର୍କରେ ଘୋଷଣା ହୋଇଥିଲା, ଯେତେବେଳେ କି ୟୁରୋପୀୟ ୟୁନିଅନ୍ ସହ ଚୁକ୍ତି ପାଇଁ ପ୍ରାୟ ୨୦ ବର୍ଷ ସମୟ ଲାଗିଥିଲା।
ଏହି ବାଣିଜ୍ୟ ଚୁକ୍ତି ଦ୍ୱାରା ବର୍ତ୍ତମାନ ଚାଲିଥିବା ଟାରିଫ୍ ବା ଶୁଳ୍କ ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି। ଆମେରିକାରେ ମଧ୍ୟ ଶୁଳ୍କ ବ୍ୟବସ୍ଥାକୁ ପୁନଃନିର୍ଦ୍ଧାରଣ କରିବା ପାଇଁ ଆଲୋଚନା ଜାରି ରହିଛି। ଧାରା ୩୦୧ ଆଧାରରେ ଅନୁକୂଳ ନୀତି ଅନୁସାରେ ଉଭୟ ପକ୍ଷ ସହମତିମୂଳକ ଚୁକ୍ତି ସ୍ୱାକ୍ଷର ଦିଗରେ ଅଗ୍ରସର ହେଉଛନ୍ତି। ପ୍ରକାଶ ଯେ, ଶୁଳ୍କ ବିବାଦର ସମାଧାନ, ଅଣ-ଶୁଳ୍କ ପ୍ରତିବନ୍ଧକ ହ୍ରାସ ଏବଂ ଦ୍ୱିପାକ୍ଷିକ ବଜାର ସୁବିଧାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ଓ ଆମେରିକା ମଧ୍ୟରେ ୨୦୨୫ ପ୍ରାରମ୍ଭରୁ ଏହି ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଚାଲିଆସୁଛି। ଅନ୍ୟପଟେ, ଆମେରିକା ସଂସଦ (କଂଗ୍ରେସ) ସମ୍ପ୍ରତି ପ୍ରଣୟନ କରିଥିବା ନୂତନ ନିୟମ ଅନୁଯାୟୀ, ରୁଷ୍ ଠାରୁ ତେଲ ଓ ଗ୍ୟାସ୍ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ/କଟକଣା ଲଗାଇବାର ପ୍ରାବଧାନ ରହିଛି। ତେବେ ଏହି ପଦକ୍ଷେପ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦେଶକୁ ଲକ୍ଷ୍ୟ କରି ପ୍ରସ୍ତୁତ କରାଯାଇନାହିଁ। ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଏହାର ମୂଳ ଲକ୍ଷ୍ୟ ଏବଂ ଏନେଇ ଆମେରିକା ରାଷ୍ଟ୍ରପତି ଆସନ୍ତା କିଛି ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।


