ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ା ସ୍ଥିତ ନଙ୍ଗଲା ଶ୍ରୀପଦମ ଗାଁରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ଏକ ଘରୁ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ଟି ନାବାଳକ ପିଲାଙ୍କୁ ମୋଟ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ବହୁ ସମୟ ଧରି ପରିବାରର କେହି ନ ଉଠିବାରୁ ପଡ଼ୋଶୀମାନଙ୍କର ସନ୍ଦେହ ହୋଇଥିଲା। ଘରର କବାଟ ଭିତର ପଟୁ ବନ୍ଦ ଥିବାବେଳେ ଝରକା ଦେଇ ଦେଖିବାରୁ ପାଞ୍ଚ ଜଣଯାକ ଶେଯରେ ପଡ଼ିଥିବା ଦେଖାଯାଇଥିଲା ଏବଂ ଜଣଙ୍କ ପାଟିରୁ ଫେଣ ବାହାରୁଥିଲା।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ପିତା ମହେଶ ପୁଅକୁ କୋଳେଇ ଖଟ ଉପରେ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ଅନ୍ୟ ଏକ ଶେଯରେ ମାଆ ଲଳିତା ସାନ ପୁଅ ଓ ଝିଅକୁ ଧରି ପଡ଼ି ରହିଥିଲେ। ମୃତକମାନେ ହେଲେ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫), ବଡ଼ ପୁଅ ଲଡ୍ଡୁ (୧୧), ସାକ୍ଷତ (୩) ଏବଂ ଝିଅ ମିଷ୍ଟି (୭)। ଘଟଣାସ୍ଥଳଟି ଜେୱାର ବିମାନବନ୍ଦରଠାରୁ ୬ କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ।
ଡିସିପି ଶ୍ରବଣ କୁମାର ସିଂହ ଜଣାଇଛନ୍ତି ଯେ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ପଡ଼ୋଶୀ ଏବଂ ମୃତା ଲଳିତାଙ୍କ ଭଉଣୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସମ୍ପତ୍ତିକୁ ନେଇ ମହେଶଙ୍କର ତାଙ୍କ ମାଆଙ୍କ ସହିତ ପ୍ରାୟତଃ ଝଗଡ଼ା ହେଉଥିଲା ଏବଂ ମାଆ ସବୁକିଛି ଝିଅ ଓ ଜ୍ୱାଇଁଙ୍କ ନାମରେ କରିଦେବେ ବୋଲି କହୁଥିଲେ। ପଡ଼ୋଶୀ ଓ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦାବି କରିବା ସହ ଖାଦ୍ୟରେ ବିଷ ମିଶାଯାଇଥିବା ସନ୍ଦେହ କରୁଛନ୍ତି।
ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଛି ଯେ, ରାତିରେ ସମସ୍ତେ ନୁଡଲ୍ସ ଖାଇ ଶୋଇଥିଲେ। କିନ୍ତୁ ମୃତକଙ୍କ ମାଆ ଚନ୍ଦୋ ପୁଲିସ୍କୁ କହିଛନ୍ତି ଯେ ତାଙ୍କ ଦେହ ଭଲ ଲାଗୁନଥିବାରୁ ସେ ରାତିରେ ନୁଡଲ୍ସ ଖାଇ ନଥିଲେ। ସମ୍ପତ୍ତି ବିବାଦ, ଫୁଡ୍ ପଏଜନିଂ ଏବଂ ହତ୍ୟା-ଏହିସବୁ ବିଭିନ୍ନ ଦିଗକୁ ଆଖି ଆଗରେ ରଖି ପୁଲିସ୍ ସମସ୍ତ ଘଟଣାର ତଦନ୍ତ ଚାଲୁ ରଖିଛି।


