ମୁମ୍ବାଇ: ମୁମ୍ବାଇ ନାଭାଲ୍ ଡକୟାର୍ଡରେ ୨୦୨୪ ମସିହାରେ ଗାଇଡେଡ୍-ମିସାଇଲ୍ ଯୁଦ୍ଧପୋତ ‘ଆଇଏନ୍ଏସ୍ ବ୍ରହ୍ମପୁତ୍ର’ ଆଂଶିକ ଭାବେ ବୁଡ଼ିଯିବା ଘଟଣାରେ ଭାରତୀୟ ନୌସେନା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜାହାଜକୁ ବିପଦରେ ପକାଇବା ଏବଂ ଅବହେଳା ଅଭିଯୋଗରେ ନୌସେନା ପକ୍ଷରୁ ସେହି ଯୁଦ୍ଧପୋତର କମାଣ୍ଡିଂ ଅଫିସର ଏବଂ ଅଫିସର ଅଫ୍ ଦି ଡେ’ଙ୍କ ବିରୋଧରେ କୋର୍ଟ-ମାର୍ଶାଲ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଯୁଦ୍ଧପୋତକୁ ବିପଦରେ ପକାଇବା, କାର୍ଯ୍ୟକ୍ଷେତ୍ରୀୟ ତ୍ରୁଟି ଏବଂ ଅବହେଳା ଅଭିଯୋଗ ରହିଛି।
ମୁମ୍ବାଇରେ ୧୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଥିବା ଏହି ବିଚାର ପ୍ରକ୍ରିୟାରେ ଯୁଦ୍ଧପୋତର କମାଣ୍ଡିଂ ଅଫିସର (କ୍ୟାପଟେନ୍) ଏବଂ ଅଫିସର ଅଫ୍ ଦି ଡେ’ (ଲେଫ୍ଟନାଣ୍ଟ କମାଣ୍ଡର) ସାମିଲ ଅଛନ୍ତି। ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମରାମତି କାର୍ଯ୍ୟ ସମୟରେ ସୁରକ୍ଷା ନିୟମ ଉଲ୍ଲଂଘନ ଉପରେ ହୋଇଥିବା ଏକ ବିସ୍ତୃତ ତଦନ୍ତ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷେ କୋର୍ଟ ମାର୍ଶାଲ ପ୍ରକ୍ରିୟା ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହେଲେ ଏହି ଅଧିକାରୀମାନଙ୍କ ବିରୋଧରେ ଆନୁଷ୍ଠାନିକ ତାଗିଦ୍, ଚାକିରିର ବରିଷ୍ଠତା ହ୍ରାସଠାରୁ ଆରମ୍ଭ କରି ସର୍ବାଧିକ ଦୁଇ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ୩,୮୫୦ ଟନ୍ ଓଜନର ଯୁଦ୍ଧପୋତରେ ମରାମତି ସମୟରେ ଜୁଲାଇ ୨୦୨୪ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବା ପରେ ଏହା କଡ଼ ମାଡ଼ି ଓଲଟି ପଡ଼ିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପ୍ରଚୁର ପରିମାଣରେ ପାଣି ପ୍ରୟୋଗ କରିବାରୁ ଜାହାଜଟି ଗୋଟିଏ ପଟକୁ ଅଧିକ ଢଳିଯାଇ ବନ୍ଦର କୂଳରେ ବୁଡ଼ିଯାଇଥିଲା। ଏପରିକି ଜରୁରୀକାଳୀନ ସ୍ଥାନାନ୍ତର ସମୟରେ ପାଣିରେ ବୁଡ଼ି ଲିଡିଂ ସିମ୍ୟାନ୍ ସିତେନ୍ଦ୍ର ସିଂହ ନିଜର ପ୍ରାଣ ହରାଇଥିଲେ।
ଜାହାଜକୁ ସିଧା କରିବା ପାଇଁ ମାସ ମାସ ଧରି ଜଟିଳ ଉଦ୍ଧାର ଅଭିଯାନ ଚାଲିବା ପରେ ବ୍ରହ୍ମପୁତ୍ରର ମୁଖ୍ୟ ସଂରଚନାଗତ ମରାମତି ଏବେ ଶେଷ ହୋଇଛି; ବର୍ତ୍ତମାନ ଏହାର ସମୁଦ୍ର ପରୀକ୍ଷଣ ଚାଲିଛି ଏବଂ ଆସନ୍ତା ବର୍ଷ ଏହା ପୁନର୍ବାର ସେବାରେ ସାମିଲ ହେବାର ଆଶା ରହିଛି।


