ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ଦ୍ରୁତ ବିକାଶ ଚିକିତ୍ସା ବିଜ୍ଞାନ ଗବେଷଣା ଏବଂ ଔଷଧ ଆବିଷ୍କାରକୁ ଅଧିକ ତ୍ୱରାନ୍ୱିତ କରୁଥିବାବେଳେ, ଆଗାମୀ ଏକ ଦଶନ୍ଧି ମଧ୍ୟରେ କ୍ୟାନ୍ସର, ଆଲଜାଇମର ଓ ହୃଦରୋଗ ଭଳି ମାରାତ୍ମକ ରୋଗଗୁଡ଼ିକ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ଇତିହାସ ପାଲଟିଯିବ ବୋଲି ଆନ୍ଥ୍ରୋପିକ୍ର ସିଇଓ ଡାରିଓ ଆମୋଡେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଆଇ ପ୍ଲାଟ୍ଫର୍ମ କ୍ଲଡ୍ର ନିର୍ମାତା ଆନ୍ଥ୍ରୋପିକ୍ର ସିଇଓ ଡାରିଓ ଆମୋଡେଇ ଏଭଳି କିଛି ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଚିକିତ୍ସା ବିଜ୍ଞାନ ଗବେଷଣା ଏବଂ ଔଷଧ ଆବିଷ୍କାରକୁ ବେଶ୍ ଦ୍ରୁତଗତି ପ୍ରଦାନ କରୁଛି। ଏଭଳି ଗତିରେ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ିବା ଦେଖି ସେ ଆଗାମୀ ୧୦ ବର୍ଷ ମଧ୍ୟରେ କ୍ୟାନ୍ସର, ଆଲଜାଇମର, ହୃଦ୍ରୋଗ, ମାନସିକ ରୋଗ ଭଳି ଅନେକ ଦୁରାରୋଗ୍ୟର ଚିକିତ୍ସା ସମ୍ଭବ ହୋଇପାରିବ। ଏପରି ହେଲେ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ହିଁ ଏସବୁ ରୋଗଗୁଡ଼ିକ କେବଳ ମେଡିକାଲ ପାଠ୍ୟପୁସ୍ତକରେ ସୀମିତ ହୋଇରହିଯିବ। ଏହି ରୋଗଗୁଡ଼ିକ ବିଶ୍ୱବ୍ୟାପୀ ଲକ୍ଷ ଲକ୍ଷ ପରିବାରକୁ ପ୍ରଭାବିତ କରୁଛି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ପାଇଁ ସବୁଠାରୁ ଆହ୍ୱାନପୂର୍ଣ୍ଣ କ୍ଷେତ୍ର ହୋଇ ରହିଛି। “ଯଦି ଆମେ ଏଆଇକୁ ସଠିକ୍ ଭାବେ ବ୍ୟବହାର କରିବା, ତେବେ ଆମେ ଏକ ଚମତ୍କାର ଯୁଗ ସୃଷ୍ଟି କରିପାରିବା ଯେଉଁଠାରେ ମାନବଜାତି ସେହି ସମସ୍ୟାଗୁଡ଼ିକର ସମାଧାନ ଖୋଜିବାରେ ସକ୍ଷମ ହେବ, ଯାହା ହଜାର ହଜାର ବର୍ଷ ଧରି ଆମ ପାଇଁ ଅପହଞ୍ଚ ହୋଇ ରହିଥିଲା। ଡାରିଓଙ୍କ କହିବାନୁସାରେ ସେ ବିଶ୍ୱାସ କରନ୍ତି ଯେ ଏଆଇ ଜୈବିକ ଗବେଷଣା, ଔଷଧ ଆବିଷ୍କାର ଏବଂ ଚିକିତ୍ସା କ୍ଷେତ୍ରରେ ନୂତନ ସଫଳତାକୁ ବହୁଗୁଣିତ କରିପାରିବ, ଯାହା ନୂତନ ଚିକିତ୍ସା ପଦ୍ଧତି ବିକଶିତ କରିବା ପାଇଁ ଲାଗୁଥିବା ସମୟକୁ ଯଥେଷ୍ଟ କମାଇଦେବ।
ଅନ୍ୟପକ୍ଷେ ତେବେ ତାଙ୍କର ଏହି ଆଶାବାଦୀ ମତ ସହିତ ଔଷଧ ଶିଳ୍ପର ଅନେକ ବିଶେଷଜ୍ଞ ଏକମତ ନୁହନ୍ତି। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ନେତୃବୃନ୍ଦ ଭବିଷ୍ୟତରେ ଔଷଧ ଆବିଷ୍କାର ପ୍ରକ୍ରିୟା ଦ୍ରୁତ ହେବା ନେଇ ଆଶାବାଦୀ ଥିବା ବେଳେ, ଔଷଧ ନିର୍ମାଣ (ଫାର୍ମାସ୍ୟୁଟିକାଲ୍ସ) କମ୍ପାନୀର କାର୍ଯ୍ୟନିର୍ବାହୀମାନେ କ୍ଲିନିକାଲ୍ ପରୀକ୍ଷଣ ଏବଂ ନିୟାମକ (ରେଗୁଲେଟୋରୀ) ପ୍ରତିବନ୍ଧକ ରହିଥିବା ନେଇ ସତର୍କ କରାଇଛନ୍ତି। କିନ୍ତୁ ଗୁଗଲ୍ର ଏଆଇ ମୁଖ୍ୟ ଡେମିସ୍ ହାସାବିସ୍ ଓ ଏଲନ୍ ମସ୍କଙ୍କ ଭଳି ବ୍ୟକ୍ତିତ୍ୱ ଡାରିଓ ଆମୋଡେଇଙ୍କ ସହ ସହମତି ପ୍ରକାଶ କରିଛନ୍ତି। ଏମାନଙ୍କ ମତରେ, ଏଆଇ ସହାୟତାରେ ଔଷଧ ଆବିଷ୍କାର ପାଇଁ ଆବଶ୍ୟକ ଏକ ଦଶନ୍ଧିର କାମକୁ ମାତ୍ର କିଛି ସପ୍ତାହ ମଧ୍ୟରେ କରାଯାଇପାରିବ। ଗୋଟିଏ ପଟେ ଟେକ୍ ଜାଏଣ୍ଟମାନଙ୍କ ଏଆଇ ପ୍ରତି ଏପ୍ରକାର ବିଶ୍ୱାସ ଅନ୍ୟପକ୍ଷେ ଚିକିତ୍ସା ବିଜ୍ଞାନ କ୍ଷେତ୍ରର ଦୀର୍ଘବର୍ଷର ଅନୁଭବୀ ବିଶେଷଜ୍ଞମାନେ ଏହାକୁ ସ୍ୱୀକାର କରିନପାରିବା ବର୍ତ୍ତମାନ ସମୟରେ ଏକ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ସାଜିଛି।
ଆନ୍ଥ୍ରୋପିକ୍ ମୁଖ୍ୟଙ୍କ ଦାବି : ଆଗାମୀ ୧୦ ବର୍ଷରେ କ୍ୟାନ୍ସର୍ ଚିକିତ୍ସା କ୍ଷେତ୍ରରେ ବିପ୍ଳବ ଆଣିବ ଏଆଇ
No Comments2 Mins Read


