ଅଶ୍ବିନୀ ପାତ୍ରଙ୍କୁ ସ୍ବାଗତ କଲେ ରବିନ୍ଦ୍ର ଜେନା, ସରଗରମ ହେଲା ବାଲେଶ୍ବରର ବିଜେଡି ରାଜନୀତି

Published: Jul 12, 2023, 11:30 am IST

ଭୁବନେଶ୍ବର: ବାଲେଶ୍ବର ରାଜନୀତି ବର୍ତ୍ତମାନ ସରଗରମ ହୋଇପଡିଛି। କାରଣ ଏହି ଜିଲ୍ଲା ପାଇଁ ନିକଟରେ ବିଜେଡି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ସଭାପତି ଭାବେ ଘୋଷଣା କରିଛି। ସମସ୍ତେ ଆଶା କରୁଥିଲେ ଯେ, ଦଳର ପୂର୍ବତନ ସାଂସଦ ତଥା ସେହି ଜିଲ୍ଲାର ବିଜେଡି ନେତା ରବି ଜେନାଙ୍କୁ ସଭାପତି କରାଯିବ। ହେଲେ ତାହା ହେଲା ନାହିଁ।

ତେବେ ଅଶ୍ବିନୀ ପାତ୍ରଙ୍କୁ ସଭାପତି କରିବା ପରେ ରବିନ୍ଦ୍ର ଜେନା ଶିବିର ଆଶା କରିଥିଲା ଯେ, ସେ ଆଉ ଦଳରେ ରହିବେ ନାହିଁ। ନିଜ ରାସ୍ତା ବାଛି ନେବେ। ହେଲେ ଖୋଦ ରବି ଜେନା ନୂଆ ସଭାପତିଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଛନ୍ତି। ତାଙ୍କୁ ସାଥିରେ ଧରି ବିଭିନ୍ନ ଦଳୀୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତାଙ୍କ ଦ୍ବାରା ବାଲେଶ୍ବରରେ ବିଜେଡି ବେଶ ସଫଳତା ହାସଲ କରିବ ବୋଲି ମଧ୍ୟ କର୍ମିଙ୍କୁ କହିଛନ୍ତି। ଫଳରେ ରବି ଜେନା ନିଜେ ପ୍ରମାଣିତ କରିଦେଲେ ଯେ, ସେ ବିଜେଡିରେ ସକ୍ରିୟ ଅଛନ୍ତି। ତାଙ୍କ ଭିତରେ କୌଣସି ଅସନ୍ତୋଷ ନାହିଁ।

ବହୁ ଦିନ ଧରି ରବିନ୍ଦ୍ର ଜେନା ଦଳରେ ସକ୍ରିୟ ଥିବାର ଜଣାପଡି ନ ଥିଲା। ବାଲେଶ୍ବର ଉପନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ମଧ୍ୟ ସେ କୁଆଡେ ଅସନ୍ତୁଷ୍ଠ ଥିଲେ ବୋଲି କୁହାଯାଉଥିଲା। ହେଲେ ସେତେବେଳେ ସେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ। ଏହାପରେ କଣ ହେଲା କେଜାଣି ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ।

ବହୁ ଦିନ ପରେ ବିଜେଡି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ କଣ ହେଲା କେଜାଣି ସେ ଏ ପର୍ଯ୍ୟନ୍ତ ସେହି ଜିଲ୍ଲା ଗସ୍ତ କରୁ ନାହାଁନ୍ତି। ଏପରିକି ସେହି ଜିଲ୍ଲାର କୌଣସି ବିଜେଡି ନେତାଙ୍କ ସହିତ ମଧ୍ୟ ଆଲୋଚନା କରୁ ନାହାଁନ୍ତି। ଖୋର୍ଦ୍ଧା ଜିଲ୍ଲାର ବିଜେଡି ନେତାମାନେ ତାଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ ସେ ମନଯୋଗ ଦେଉ ନାହାଁନ୍ତି। ଅଭିମାନରେ କୁଆଡେ ଯାଉ ନ ଥିବାର କୁହାଯାଉଛି।

ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ସେ ଦଳ ପାଇଁ ସକ୍ରିୟ ହେବା ଆରମ୍ଭ କରିଛନ୍ତି। ରବିନ୍ଦ୍ର ଜେନା ଜଣେ ଭଲ ଶାନ୍ତ ରାଜନୈତିକ ନେତା ହିସାବରେ ବେଶ ପରିଚିତ। ସେ ରାଜନୀତିର ଛନ୍ଦ କପଟ ଭିତରେ ନ ପଶି ନିଜର କାର୍ଯ୍ୟ କରିବାକୁ ବେଶ ପସନ୍ଦ କରନ୍ତି। ଏହିପରି ଜଣେ ନେତାଙ୍କ ଜିଲ୍ଲାରେ ସକ୍ରିୟ ହେଉଥିବାରୁ ଜିଲ୍ଲା ବିଜେଡି ମହଲରେ ବେଶ୍ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି।

Related posts