
ଖୋର୍ଦ୍ଧା: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ନାଗରିକଙ୍କ ସୁରକ୍ଷା ପାଇଁ ଓଡିଶା ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି। ଅନୁରୂପ ଭାବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣ ଋତୁ ସମୟରେ ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଛି ଜିଲ୍ଲା ପୋଲିସ।
ଦୀପାବଳି ଆହୁରି ପାଖାପାଖି ଏକ ମାସ ଥିବା ବେଳେ ବେଆଇନ ବାଣ କାରବାର ଉପରେ କଡ଼ାକଡି ନଜର ରଖିଛି ପୋଲିସ। ତେବେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ।
ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଆଜି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନେତୃତ୍ୱରେ କଣ୍ଟାବାଡ ଗ୍ରାମସ୍ଥିତ ଏକ ଗୋଦାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ବାଣ ଓ ବାରୂଦ ଜବତ କରାଯାଇଛି।
ସୂଚନା ମୁତାବକ କଣ୍ଟାବାଡ଼ ଗ୍ରାମରେ ବିଶ୍ୱନାଥ ମହାପାତ୍ରଙ୍କ ଗୋଦାମ ଘରେ ଚଢ଼ାଉ ହୋଇଥିବା ବେଳେ ସେଠାରୁ ଦୁଇ ଗୋଟି ବାଣ ବୋଝେଇ ମିନି ଟ୍ରକ ଏବଂ ୨୫ କେଜି ବାରୂଦ ଜବତ ହୋଇଛି। ଜବତ ବାଣ ଓ ବାରୂଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସମସ୍ତ ଜବତ ବାଣକୁ ନଷ୍ଟ କରାଯାଇଥିବା ବେଳେ ବାଣ ବେପାରି ବିଶ୍ୱନାଥ ମହାପାତ୍ର ଏବଂ ତାଙ୍କ ସମ୍ପର୍କୀୟ ପ୍ରସନ୍ନ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।