ଟିଟିଲାଗଡ଼ ଓ ଖଣ୍ଡପଡ଼ାରେ ସ୍ଥାପନ ହେବ ଗ୍ରୀଡ଼୍‌ ସବ୍‌ଷ୍ଟେସନ, ବୈଠକ କଲେ ଉପମୁଖ୍ୟମନ୍ତ୍ରୀ

Published: Oct 15, 2024, 8:11 pm IST
ଟିଟିଲାଗଡ଼ ଓ ଖଣ୍ଡପଡ଼ା

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ଼ଠାରେ ୧୩୨/୩୩ କେଭି ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଓ ଖଣ୍ଡପଡ଼ାଠାରେ ୨୨୦/୩୩ କେଭି ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନା ନେଇ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନ ଓ ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ବୈଠକରେ ପ୍ରସ୍ତାବ ଦେଇଥିଲେ।

ଏହି ଦୁଇଟି ଅଞ୍ଚଳରେ ଉଚ୍ଚ କ୍ଷମତାସଂପନ୍ନ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନ ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ବିଦ୍ୟୁତଜନିତ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ଖରାଦିନେ ହେଉଥିବା ଲୋ-ଭୋଲ୍‌ଟେଜ୍‌ ସମସ୍ୟାରୁ ମୁକ୍ତି ମିଳିପାରିବ। ବୈଠକରେ ଓପିଟିସିଏଲ୍‌ ଓ ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଏ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ। ସଂପ୍ରତି ରାଜ୍ୟରେ ୨୦ରୁ ଅଧିକ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନ କାର୍ଯ୍ୟ ଚାଲୁ ରହିଛି । ଏଥି ମଧ୍ୟରୁ ୧୧ଟି ଗ୍ରୀଡ଼୍‌ ସଂପୂର୍ଣ୍ଣ ହୋଇ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ।

ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ ଜନସାଧାରଣଙ୍କ ବିଦ୍ୟୁତଜନିତ ଅସୁବିଧାକୁ ଦୂର କରିବା ପାଇଁ ସରକାର ସର୍ବଦା ଚେଷ୍ଟିତ। ଏ ନେଇ ଉଭୟ ଓପିଟିସିଏଲ୍‌ ଏବଂ ଟାଟା ପାୱାର ସହ ଆଲୋଚନା ଜାରି ରହିଛି। ଟିଟିଲାଗଡ଼ ଓ ଖଣ୍ଡପଡ଼ାବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତସେବା ଯୋଗାଇ ଦେବା ପାଇଁ ପାଶ୍ୱବର୍ତ୍ତୀ ଗ୍ରୀଡ଼୍‌କୁ ସଂଯୋଗୀକରଣ ବିଷୟରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଦଶପଲ୍ଲାରେ ଗ୍ରୀଡ଼୍‌ ସଂପୂର୍ଣ୍ଣ ହେବା ପରିସ୍ଥିତିରେ ପହଞ୍ଚିଥିବାବେଳେ ହାଟବସ୍ତାରେ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି।

ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ୍‌ ଓ ଟାଟା ପାୱାରର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts