Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଆଇଟି ବିଭାଗର ଉପଦେଷ୍ଠା ଅନୁଭବ ପଟ୍ଟନାୟକ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି।

ଆଜି ବିଜେଡି ଖଣ୍ଡପଡାର ପ୍ରାର୍ଥୀ ଘୋଷଣା କରିଛି। ସେଠାରେ ଅନୁଭବ ଆଶାୟୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ତାଙ୍କ ପରିବର୍ତ୍ତେ ନୂଆ ପ୍ରାର୍ଥୀ ସାବିତ୍ରୀ ପ୍ରଧାନଙ୍କୁ ଦଳ ଟିକେଟ ଦେଇଛି। ଏହାର ପ୍ରତିବାଦରେ ଅନୁଭବ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି।

ବିଜେଡିରୁ ଟିକେଟ ପାଇବା ପାଇଁ ଅନୁଭବ ବହୁଥର ନବୀନ ନିବାସ ଆସି ଶୀର୍ଷ ନେତୃତ୍ବଙ୍କ ସହିତ କଥା ହୋଇଛନ୍ତି। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କ ଉପରେ ଦଳ ଭରସା କରିପାରି ନାହିଁ। ଗତକାଲି ସେ ଏକ ସେଟ ନାମାଙ୍କନ ପତ୍ର ନେଇଥିବାର ଜଣାଯାଇଛି। ଯେତେଦୂର ଆଶା ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିର ଯୁବ ନେତା ଅମିତ ମଲ୍ଲିକଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କଣ

ଭୁବନେଶ୍ବର: ବିଜୁ ଜନତା ଦଳର ଯୁବ ନେତା ଅମିତ ମଲ୍ଲିକଙ୍କୁ ଦଳ ପୁଣି ଦୁଇଟି ଦାୟିତ୍ବ ଦେଇଛନ୍ତି। ସେ ବର୍ତ୍ତମାନ ଦଳର ମୁଖପାତ୍ର ଥିବା ବେଳେ ଆଜି ତାଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ବ ଦେଇଛି। ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅମିତ ମଲ୍ଲିକଙ୍କୁ ନୟାଗଡ ଜିଲ୍ଲାର ଖଣ୍ଡପଡା ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ମଧ୍ୟ ଉଲ୍ଲେଖ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆଗାଁ ରୋଡ୍- ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଭୁବନେଶ୍ଵର: ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ – ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା ରେଳ ଷ୍ଟେସନ ବିଲ୍ଡିଂକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପତାକା ଉତ୍ତୋଳନ ପରେ ୪ଟି ପାସେଞ୍ଜର ଟ୍ରେନ୍ ୧୮୪୨୩/୧୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ବର ଏକ୍ସପ୍ରେସ୍, ୦୮୪୨୯/୦୮୪୩୦ ଭୁବନେଶ୍ୱର-ନୂଆଗାଁ ରୋଡ୍-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ୍, ୦୮୪୨୩/୦୮୪୨୪ ପୁରୀ-ନୂଆଗାଁ ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ଏବଂ ୦୮୫୫୫/୦୮୫୫୬ ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ସେବା ଦଶପଲ୍ଲାକୁ ବୃଦ୍ଧି କରାଯାଇଛି।

ଦଶପଲ୍ଲା ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ସାନପଦରଠାରେ ୩୦୦ରୁ ଅଧିକ ଲୋକ ସ୍ୱାଗତ କରିବା ସହ ଯାତ୍ରୀ ହଲ୍ଟ ମଞ୍ଜୁର କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ ଟାଉନ୍ ଓ ମହିପୁର ଷ୍ଟେସନରେ ପ୍ରାୟ ୫୦୦ ଲୋକ ଏକତ୍ରିତ ହୋଇ ରେଳମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଦୀର୍ଘ ଦିନ ଧରି ଚାଲିଆସୁଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ କନ୍ଧମାଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀକୁ ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୋପାଳପୁର-ରେଢ଼ାଖୋଲ ନୂଆ ରେଳ ଲାଇନର ସମୀକ୍ଷା କରାଯିବ। କଣ୍ଟିଲୋ ଓ ଖଣ୍ଡପଡ଼ାକୁ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ସହ ସଂଯୋଗ କରିବାର ସମ୍ଭାବ୍ୟତା ଅନୁସନ୍ଧାନ କରାଯିବ ବୋଲି ମାନ୍ୟବର ରେଳମନ୍ତ୍ରୀ କହିଛନ୍ତି।

ଦଶପଲ୍ଲା ଗସ୍ତ କରିବା ପୂର୍ବରୁ ମାନ୍ୟବର ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ଚାଲିଥିବା ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖଣ୍ଡପଡ଼ା: ବିଦ୍ୟାଳୟ ବନ୍ଦ ପ୍ରତିବାଦ, ପ୍ରତିଶୃତି ପରେ ଧାରଣାରୁ ଉଠିଲେ ପଥୁରିଆ ଗ୍ରାମବାସୀ

ନୟାଗଡ/ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ ବନମାଳୀ ପୁର ପଞ୍ଚାୟତ ଅଧୀନ ପଥୁରିଆ ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ବିଇଓ ଅଫିସରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟରେ ୪୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଗତ ଦୁଇବର୍ଷ ତଳେ ରାଜ୍ୟ ସରକାର କମ ପିଲା ପଢୁଥିବା ତଥା ବିଦ୍ୟାଳୟ ମିଶ୍ରଣ ନେଇ ନୂତନ ନିୟମ ଆଣିବା ପରେ ଉକ୍ତ ସ୍କୁଲଟି ବନ୍ଦ ହୋଇଯାଇଥିଲା।

ପୂର୍ବରୁ ଅନେକବାର ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନକୁ ସମସ୍ୟା ବାବଦରେ ଚିଠି ଲେଖାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା। ଫଳରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ପୂର୍ବଭଳି ସ୍କୁଲ ଚାଲିବା ନେଇ ନିର୍ଦ୍ଦେଶ ଦେଇଥିଲେ।

ତେବେ ଗଣଶିକ୍ଷା ବିଭାଗ ତଥା ଜିଲ୍ଲା ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଗତ ୧୪ ମାର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଖୁବଶୀଘ୍ର ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଲା ନହିଁ। ଫଳରେ ଆଜି ସକାଳୁ ଶତାଧିକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଥିଲେ।

ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସେମାନେ ଧାରଣାରେ ବସିଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ତେବେ ପୁଲିସ ପ୍ରଶାସନ ଏବଂ ଶିକ୍ଷା ବିଭାଗ ହସ୍ତକ୍ଷେପ ପରେ ଧାରଣା ହଟିଥିବା ନେଇ ସୂଚନା ମିଳିଛି। ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟଳୟରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦପ୍ତରକୁ ଚିଠି କରାଯାଇଥିବା ଏବିଇଓ କଳିଙ୍ଗ ଚନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି।