ଭୁବନେଶ୍ବର: ଓଡିଆ ସଂଗୀତ ଜଗତର ବିଶିଷ୍ଠ ବ୍ୟକ୍ତିତ୍ବ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ସେ ଲିଭର ସମସ୍ୟା ନେଇ ବହୁଦିନ ଧରି ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ଏହାପରେ ସେ ଘରକୁ ଫେରିଥିଲେ ମଧ୍ୟ ଗତକାଲି ସେ ଗୁରୁତର ହେବାରୁ ତାଙ୍କୁ ପୁଣି ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ସେଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, “ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।”
ସେହିପରି ପୂର୍ତ୍ତ, ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀରଭାବେ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି!


