ଭୁବନେଶ୍ଵର : ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ନୂଆ ଆଇନ ଆସୁଛି। ଏଣିକି ଲିଖିତ ଭଡ଼ା ଚୁକ୍ତି ବାଧ୍ୟତାମୂଳକ ହେବ ଏବଂ ଚୁକ୍ତିକୁ ଅନଲାଇନ୍ ପୋର୍ଟାଲ୍ରେ ପଞ୍ଜୀକରଣ କରିବାକୁ ପଡ଼ିବ। ପ୍ରତ୍ୟେକ ଚୁକ୍ତିକୁ ୟୁନିକ୍ ଆଇଡି ମିଳିବ। ଭଡ଼ା ଦର ଘରମାଲିକ ଓ ଭଡ଼ାଟିଆଙ୍କ ପାରସ୍ପରିକ ସହମତିରେ ନିର୍ଦ୍ଧାରିତ ହେବ, ସରକାରୀ ହସ୍ତକ୍ଷେପ ରହିବ ନାହିଁ। ଭଡ଼ା ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ନ୍ୟାୟାଧିକରଣ ଗଠନ ହେବ। ଏହା ସହ ୫୯ ବର୍ଷ ପୁରୁଣା ଆଇନ (Odisha House Rent Control Act, 1967 and 1974) ସଂଶୋଧନ ଆଇନ ରଦ୍ଦ ହେବ। ଏହା ବଦଳରେ ନୂଆ ଆଇନ ଆସିବ । ଏନେଇ ଗଠନ ହେବ ସ୍ୱତନ୍ତ୍ର ନ୍ୟାୟାଳୟ। ମୌଖିକ ନୁହେଁ, ଲିଖିତ ଚୁକ୍ତିରେ ହେବ ଘର ଭଡ଼ା ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ କରିଛନ୍ତି।


