କାଲିମେଳା: ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। କାଲିମେଳା ସଦର ମହକୁମାଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସିପଡ଼ିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି।
ଗତ ତିନି ଦିନ ଧରି ଅଞ୍ଚଳରେ ଲଗାତାର ଝିପିଝିପି ବର୍ଷା ହେଉଥିବାବେଳେ ଗତକାଲିର ପ୍ରବଳ ବର୍ଷା ପରେ ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର, ମାଟି ଓ ଗଛ ଧସି ରାସ୍ତା ଉପରେ ପଡ଼ିଛି। ଫଳରେ ମାନ୍ୟମକୋଣ୍ଡାରୁ ପାହାଡ଼ ଉପରେ ଥିବା ସୀତାପାଲୀ ଗାଁକୁ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଛି ଏବଂ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାତାୟାତ ଠପ୍ ହୋଇଯାଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ କୋଟି କୋଟି ଟଙ୍କା ବ୍ୟୟରେ ମାନ୍ୟମକୋଣ୍ଡା–ସୀତାପାଲୀ–ଗୁଣ୍ଠାବେଡା ସଂଯୋଗକାରୀ ଏହି ଘାଟି ରାସ୍ତାର ନିର୍ମାଣ ଗତ ବର୍ଷ ଶେଷ ହୋଇଥିଲା। ତେବେ ଲଗାଣ ବର୍ଷାରେ ପାହାଡ଼ ଧସିବା ଫଳରେ ରାସ୍ତା ଅବରୋଧ ହୋଇ ଦୁର୍ଗମ ଅଞ୍ଚଳର ଲୋକମାନେ ଯାତାୟାତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ପ୍ରଶାସନ ପକ୍ଷରୁ ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯିବାର ଆଶା କରାଯାଉଛି।


