ଭୁବନେଶ୍ୱର: ମହିଳାମାନଙ୍କ ସୁରକ୍ଷା, ସୁରକ୍ଷିତ ପରିବେଶ ଏବଂ ସଶକ୍ତୀକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ସ୍ତରର ‘ଶକ୍ତି ସମ୍ମିଳନୀ’କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି।
ସାରା ଦେଶରେ ମହିଳା ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ସଫଳ ନୀତିଗୁଡ଼ିକର ଆଦାନପ୍ରଦାନ କରିବା, ଆଇନଗତ ଓ ପ୍ରଶାସନିକ କାର୍ଯ୍ୟକାରିତାରେ ଥିବା ଫାଙ୍କକୁ ଚିହ୍ନଟ କରିବା ଏବଂ ସାଂସ୍ଥାନିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଉପ-ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ, ମହିଳା ସୁରକ୍ଷା ଓ ସଶକ୍ତୀକରଣ ପରସ୍ପରଠାରୁ ପୃଥକ ନୁହନ୍ତି, ଏଗୁଡ଼ିକ ଗୋଟିଏ ଅନ୍ୟଟି ସହ ଗଭୀର ଭାବେ ଜଡ଼ିତ। ଶକ୍ତିଶାଳୀ ଅନୁଷ୍ଠାନ, ନୀତିଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ସାମୂହିକ ଉତ୍ତରଦାୟିତ୍ୱ ମାଧ୍ୟମରେ ହିଁ ପ୍ରତ୍ୟେକ ମହିଳାଙ୍କୁ ସୁରକ୍ଷା, ସମ୍ମାନ ଓ ଅଗ୍ରଗତିର ସମାନ ସୁଯୋଗ ଦିଆଯାଇପାରିବ।
ଏହି ସମ୍ମିଳନୀରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହାଟକର, ସଦସ୍ୟ ସଚିବ ସୁଦୀପ ଜୈନ, ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ସହ-ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଏବଂ ମିଶନ ଶକ୍ତି ସଚିବ ମାନସୀ ନିମ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ତେଲେଙ୍ଗାନା ଆଦି ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିଶନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦବୀର ୨୯ ଜଣ ବରିଷ୍ଠ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।


