ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ସହରରେ ଏବେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢିଛି। ଏହା ଏବେ ଚିନ୍ତାଜନକ ବିଶେଷ ହୋଇଛି । ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୁକୁରମାନଙ୍କ ଆକ୍ରମଣ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତକାଲି ସହରର ବିଭିନ୍ନ ସ୍ଥାନରେ କୁକୁର ଆକ୍ରମଣର ଶିକାର ହୋଇ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳା, ପୁରୁଷ, ଯୁବକ ଓ ଯୁବତୀ ରହିଛନ୍ତି। ମୁଖ୍ୟତଃ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡ ଅଞ୍ଚଳରେ ଯାତାୟାତ କରୁଥିବା ଲୋକେ କୁକୁର କାମୁଡ଼ାର ଶିକାର ହୋଇଛନ୍ତି । ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ଓ ଆତଙ୍କ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଗୁଣୁପୁର ପୌର ପରିଷଦ ପକ୍ଷରୁ କୁକୁର ଧରିବା ପାଇଁ ଉଦ୍ୟମ ଜାରି ରହିଛି । ସେପଟେ କୁକୁର କାମୁଡ଼ାରେ ଆହତ ସମସ୍ତଙ୍କୁ ଇଞ୍ଜେକ୍ସନ୍ ଓ ଆବଶ୍ୟକ ଟିକା ଦିଆଯାଇଥିବା ବେଳେ ଚିକିତ୍ସା ସମ୍ପର୍କିତ ପରାମର୍ଶ ମଧ୍ୟ ଦିଆଯାଇଛି ବୋଲି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପ୍ରତ୍ୟୁଷ କୁମାର ବିଶ୍ୱାଳ କହିଛନ୍ତି ।


