ଭୁବେନଶ୍ବର: ଆଗାମୀ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ନିରାପଦରେ ପାଳନ କରିବା ସହ ଜନସାଧାରଣଙ୍କ ସୁବିଧା ପାଇଁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କମିଶନରେଟ୍ ପକ୍ଷରୁ କଡ଼ା ଟ୍ରାଫିକ୍ ନିୟମାବଳୀ ଜାରି କରାଯାଇଛି। ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ-୨୦୦୩ ଏବଂ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ଅନୁଯାୟୀ ଏହି କଟକଣା ଆସନ୍ତା ଅକ୍ଟୋବର ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଭାରୀ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ରସୁଲଗଡ଼ରୁ ଲିଙ୍ଗିପୁର, ବାଣୀବିହାରରୁ ଶିଶୁଭବନ, ଜୟଦେବ ବିହାରରୁ ନନ୍ଦନକାନନ ଏବଂ ବରମୁଣ୍ଡାରୁ ପଳାଶୁଣୀ ସମେତ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱ ସର୍ଭିସ ରୋଡରେ ଭାରୀ ଯାନ ଯାତାୟାତ ନିଷେଧ କରାଯାଇଛି। ସେହିପରି ଖୋର୍ଦ୍ଧା ଓ କଟକ ପଟୁ ଆସୁଥିବା ଭାରୀ ଯାନଗୁଡ଼ିକ ପାଇଁ ପିତାପଲ୍ଲୀ ଏବଂ ବାଲିକୁଦା ନିକଟରେ ବିକଳ୍ପ ରାସ୍ତାର ବ୍ୟବସ୍ଥା କରାଯାଇଛି। ସାଧାରଣ ବସ୍ ଚଳାଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ ଲାଗୁ ହୋଇଛି, ଯାହାଫଳରେ ବସ୍ଗୁଡ଼ିକ ସହର ଭିତରକୁ ପ୍ରବେଶ ନକରି ବାହାର ବାଇପାସ୍ ଦେଇ ଯାତାୟାତ କରିବେ।
ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ ଏବଂ ନିୟମ ଉଲ୍ଲଂଘନ କଲେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ। ତବେ ଜରୁରୀକାଳୀନ ସେବା ସହ ଜଡ଼ିତ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୁଲିସ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ମୁକ୍ତି ଦିଆଯାଇଛି। ପୂଜାକୁ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ହେଲମେଟ୍ ପିନ୍ଧିବା ଏବଂ ନିର୍ଦ୍ଧାରିତ ସ୍ଥାନରେ ପାର୍ କରିବାକୁ ପୁଲିସ କମିଶନରଙ୍କ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି।


