ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରୁ ଏକ ବଡ଼ଧରଣର ଦୁର୍ନୀତି ମାମଲାରେ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଆଦାଲତ ଏକ କଡ଼ା ରାୟ ଶୁଣାଇଛନ୍ତି। ଜଣେ ମୃତ ଶିକ୍ଷକଙ୍କ ବିଧବା ପତ୍ନୀଙ୍କୁ ପରିବାର ପେନସନ୍ ମଞ୍ଜୁର କରାଇଦେବା ନାଁରେ ଲାଞ୍ଚ ନେଇଥିବା ଅଭିଯୋଗରେ କୋଷାଗୁମୁଡ଼ା ବିଇଓ କାର୍ଯ୍ୟାଳୟର ପ୍ରାକ୍ତନ କନିଷ୍ଠ କିରାଣୀ ଏବଂ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅଦାଲତ ଉଭୟଙ୍କୁ ୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା ପ୍ରଦାନ କରିଛନ୍ତି ଏବଂ ରାୟ ପ୍ରକାଶ ପାଇବା ପରେ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେବା ପରେ କନିଷ୍ଠ କିରାଣୀଙ୍କୁ ଚାକିରିରୁ ବରଖାସ୍ତ ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍ ସୁବିଧା ବନ୍ଦ କରିବା ପାଇଁ ସୁପାରିଶ କରାଯିବ।
ଦଣ୍ଡିତ ଅଭିଯୁକ୍ତମାନେ ହେଲେ କୋଷାଗୁମୁଡ଼ା ବିଇଓ ଅଫିସର ପ୍ରାକ୍ତନ କନିଷ୍ଠ କିରାଣୀ (ବର୍ତ୍ତମାନ ଡାବୁଗାଁ ନୂଆ ପଞ୍ଚାୟତ ହାଇସ୍କୁଲର କନିଷ୍ଠ କିରାଣୀ) ତପନ କୁମାର ଖୋସଲା ଏବଂ କୋଷାଗୁମୁଡ଼ା ମିର୍ଗାନଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ। ଦଣ୍ଡ ଶୁଣାଯିବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଜଣେ ମୃତ ଶିକ୍ଷକଙ୍କ ବିଧବା ପତ୍ନୀଙ୍କ ପରିବାର ପେନସନ୍ ମଞ୍ଜୁର କରାଇଦେବା ପାଇଁ ଏହି ଦୁଇ ଜଣ ଲାଞ୍ଚ ଦାବି କରି ଗ୍ରହଣ କରିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଅଦାଲତରେ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପରେ ଦୋଷ ପ୍ରମାଣିତ ହେବାରୁ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।


