ଭୁବନେଶ୍ବର: ଢେଙ୍କାନାଳ ବନଖଣ୍ଡ କାର୍ଯ୍ୟାଳୟରେ ଘଟିଛି ଏକ ବଡ଼ଧରଣର ଆର୍ଥିକ ଅନିୟମିତତା। ନିଜ ସାଥି କର୍ମଚାରୀଙ୍କ ବିଶ୍ୱାସ ସହ ପ୍ରତାରଣା କରି ବନ ବିଭାଗ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ (ବରିଷ୍ଠ କିରାଣୀ) ସୁଜିତ କୁମାର ଜେନା ୬୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ତୁରନ୍ତ ପଦକ୍ଷେପ ନେଇ ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିବାରେ ସଫଳତା ପାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ବନ ବିଭାଗର ବରିଷ୍ଠ କିରାଣୀ ସୁଜିତ କୁମାର ଜେନା, ତାଙ୍କୁ ଏହି ହେରଫେରରେ ସହଯୋଗ କରିଥିବା ବନ ବିଭାଗର ହାତୀ ସ୍କ୍ୱାର୍ଡ କର୍ମଚାରୀ ସୌମ୍ୟରଂଜନ ବେହେରା ଏବଂ ତାଙ୍କ ସମ୍ପର୍କୀୟ ରଶ୍ମିରଞ୍ଜନ ସ୍ବାଇଁ। ଅଭିଯୋଗ ଅନୁସାରେ, ଏପ୍ରିଲ ୨୦୧୬ ମସିହାରୁ ମାର୍ଚ୍ଚ ୨୦୨୬ ମସିହା ମଧ୍ୟରେ କର୍ମଚାରୀମାନଙ୍କର ଇପିଏଫ, ୭ମ ବେତନ କମିଶନ ଏରିୟର, ଇନକ୍ରିମେଣ୍ଟ, ପେନସନ, ଅତିରିକ୍ତ ପେନସନ ଓ ଅନ୍ୟାନ୍ୟ ସୁବିଧା ବାବଦକୁ ଆସିଥିବା ସରକାରୀ ଅର୍ଥକୁ ବାଟମାରଣା କରାଯାଇଥିଲା। ଆକାଉଣ୍ଟାଣ୍ଟ ସୁଜିତ ଜେନା ଚାଲାକିର ସହ ଏହି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାକୁ ବନ ବିଭାଗ କାର୍ଯ୍ୟାଳୟର ସରକାରୀ ଖାତାରୁ ୪ଟି ବାହାର ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ।
ଏଜି (ଆକାଉଣ୍ଟାଣ୍ଟ ଜେନେରାଲ) ଟିମ୍ ପକ୍ଷରୁ କାର୍ଯ୍ୟାଳୟର ସରକାରୀ ହିସାବ କିତାବ ଅଡିଟ୍ କରାଯିବା ସମୟରେ କର୍ମଚାରୀଙ୍କ ବେତନ ଏରିୟର, ପେନସନ୍ ଓ ଅନ୍ୟାନ୍ୟ ସୁବିଧା ବାବଦ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କୌଣସି ସଠିକ୍ ହିସାବ ମିଳିନଥିଲା। ଏହା ପଦାକୁ ଆସିବା ପରେ ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ହଇଚଇ ସୃଷ୍ଟି ହୋଇଥିଲା। ଏଜି ଜେନେରାଲଙ୍କ ସୁପାରିଶ କ୍ରମେ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସରକାରୀ ଟଙ୍କା ହରିଲୁଟ୍ ଘଟଣା ସମ୍ପର୍କରେ ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ) ଲଳିତ କୁମାର ପାତ୍ର ଅବଗତ ହେବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ଅଡିଟ୍ରେ ଜାଲିଆତି ଧରାପଡ଼ିବା ଦିନଠାରୁ ବରିଷ୍ଠ କିରାଣୀ ସୁଜିତ ଜେନା କାହାକୁ କିଛି ନଜଣାଇ, କୌଣସି ଛୁଟି ନନେଇ କିମ୍ବା କାରଣ ଦର୍ଶାଇ ଅଫିସକୁ ଆସୁନଥିଲେ ଏବଂ ଫେରାର ହୋଇଯାଇଥିଲେ।
ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ସୁଜିତ ଜେନାଙ୍କୁ ଏହି ସମ୍ପୂର୍ଣ୍ଣ ଆର୍ଥିକ ଘୋଟାଲାର ମାଷ୍ଟରମାଇଣ୍ଡ ବୋଲି ଚିହ୍ନଟ କରିଥିଲା। ଗତରାତିରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସୁଜିତ ଜେନା ଏବଂ ତାଙ୍କୁ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ସହଯୋଗୀ ସୌମ୍ୟରଞ୍ଜନ ବେହେରା ଓ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଗିରଫ କରିବାରେ ସଫଳ ହୋଇଛି।


