ଖୋର୍ଦ୍ଧା: ଶିଶୁ ଶ୍ରମମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଲକ୍ଷ୍ୟରେ ବାଲିଅନ୍ତା ବ୍ଲକର ବିଭିନ୍ନ ଅଞ୍ଚଳରେ ଜନସଚେତନତା ଅଭିଯାନ ଆୟୋଜିତ ହୋଇଛି। ଅକ୍ଟୋବର ୨୩ ତାରିଖରେ ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ), ଖୋର୍ଦ୍ଧା ଏବଂ ସହକାରୀ ଶ୍ରମ ଅଧିକାରୀ, ବାଲିଅନ୍ତାଙ୍କ ମିଳିତ ଉଦ୍ୟମରେ ଏହି ଅଭିଯାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ବାଲକାଟି ବଜାର, ରଙ୍ଗ ବଜାର, ବାଲିଅନ୍ତା ବଜାର, ସରକଣା ବଜାର ଓ ହାଟ ସମେତ ବିଭିନ୍ନ ପଞ୍ଚାୟତ ଏବଂ ବାଲିଅନ୍ତା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରା, ଦାସକାଠିଆ, ପାଲା ଓ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହିତଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର କାନ୍ଥରେ ଶିଶୁ ଶ୍ରମ ନିଷେଧ ସମ୍ବନ୍ଧୀୟ ଘୋଷଣାନାମା ଲଗାଯାଇ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ଶିଶୁ ଶ୍ରମ ନିୟୋଜନର କୁପରିଣାମ ଏବଂ ଏହା ସମ୍ପର୍କିତ ଆଇନଗତ ଦଣ୍ଡବିଧାନ ବିଷୟରେ ସଚେତନ କରାଯାଇଥିଲା।
ପ୍ରତ୍ୟେକ ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଶିଶୁ ଶ୍ରମର ସମ୍ପୂର୍ଣ୍ଣ ନିରାକରଣ ଜରୁରୀ। ଏଥିପାଇଁ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ ବୋଲି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଶିଶୁ ଶ୍ରମମୁକ୍ତ ଖୋର୍ଦ୍ଧା ଗଠନ ଦିଗରେ ଏହି ପଦକ୍ଷେପ ଜନସଚେତନତା ବୃଦ୍ଧି ସହ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହେବ।


