ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ଗ୍ରାମର କାଳିଜାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ପ୍ରଫୁଲ୍ଲ କୁମାର ବେହେରାଙ୍କ ବିରୁଦ୍ଧରେ ସାଂଘାତିକ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟ ପରିଚାଳନା ଏବଂ ସରକାରୀ ଦାୟିତ୍ୱ ନିର୍ବାହରେ ଅବହେଳା ପ୍ରଦର୍ଶନ କରିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରିଚାଳନାଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ହିସାବ ନିଷ୍ପତ୍ତି ପ୍ରମାଣପତ୍ର ସମୟାନୁସାରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଉ ନ ଥିଲା। ଏହାବ୍ୟତୀତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଠିକ୍ ଭାବେ କାର୍ଯ୍ୟକାରୀ ନ କରିବା, ବିଭିନ୍ନ ଗଣମାଧ୍ୟମରେ ଏସବୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବା ଏବଂ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ବାରମ୍ବାର କାରଣ ଦର୍ଶାଅ ନୋଟିସର କୌଣସି ଉତ୍ତର ନ ଦେବା ଆଦି ଘୋର ପ୍ରଶାସନିକ ତ୍ରୁଟିକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି। ଜଣେ ଦାୟିତ୍ୱସମ୍ପନ୍ନ ପ୍ରଧାନଶିକ୍ଷକଙ୍କ ପକ୍ଷରୁ ଏଭଳି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶିତ ହେବା ସ୍ଥାନୀୟ ଶିକ୍ଷା ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଶିକ୍ଷା ବିଭାଗର ଏଭଳି ପଦକ୍ଷେପ ଆଗକୁ କାର୍ଯ୍ୟରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


