ହିନ୍ଦୋଳ: ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ କ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନ ବିରୋଧୀ ଦଳ (ବିଜେପି)ର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ନେତାମାନଙ୍କ ସଂସ୍ପର୍ଶରେ ରହି ସାମିଲ ହେଉଥିଲେ। ଏହା ସହିତ ଦଳୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ ସେ ଅନୁପସ୍ଥିତ ରହୁଥିବା ନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବହୁ ଦିନରୁ ଅସନ୍ତୋଷ ଏବଂ ଅଭିଯୋଗ ହୋଇଆସୁଥିଲା। ଏହି ସମସ୍ତ ଅଭିଯୋଗକୁ ଭିତ୍ତିକରି ଦଳ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


