ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ଗୋଦରିବିଲି ଗ୍ରାମରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ପକ୍ଷରୁ ଦୁଇ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଚାଷ ଜମିରେ କରାଯାଇଥିବା ବେଆଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମା’ ଓ ଛୁଆ ହାତୀର ମୃତ୍ୟୁ ହୋଇଛି। ସେମାନେ ହେଉଛନ୍ତି ଅଁଳାବେରେଣୀ ସେକ୍ସନର ଫରେଷ୍ଟର ଶୁଭେନ୍ଦୁ ଭୂୟାଁ ଓ କଦଳୀପାଳ ବିଟ୍ର ଫରେଷ୍ଟ ଗାର୍ଡ ମନସ୍ମିତା ବରାଳ। ଏନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି। ଗତକାଲି ଗୋଦରିବିଲି ଗ୍ରାମ ନିକଟସ୍ଥ ଏକ ଚାଷ ଜମିରୁ ମା’ ଓ ଛୁଆ ହାତୀର ମୃତଦେହ ମିଳିଥିଲା। ପ୍ରାୟ ୫୦୦ ମିଟର ବ୍ୟବଧାନରେ ଦୁଇ ମୃତହାତୀଙ୍କ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଗୋଟିଏ ୧୨ ବର୍ଷର ମାଈହାତୀ ଥିବା ବେଳେ ଅନ୍ୟ ଶିଶୁ ମାଈହାତୀର ବୟସ ମାତ୍ର ୫ରୁ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ଚାଷ ଜମିରେ ସୋଲାର ବାଡ଼ ପାଇଁ ବେଆଇନ ଭାବେ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗୋଦରିବିଲି ଗ୍ରାମର ୫୧ ବର୍ଷୀୟ କୁମାର ନାଏକଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ତଦନ୍ତ ଜାରି ରହିଛି।


