ଗତ ଦଶ ବର୍ଷ ଭିତରେ ଓଡିଶାରେ ଧାର୍ମିକ ବିଦ୍ଵେଷ ଜନିତ ହିଂସାକାଣ୍ଡ ଘଟିନାହିଁ, ସତ – ହେଲେ କନ୍ଧମାଳର ସ୍ମୃତି ଆମ ମନରୁ ଲିଭିନାହିଁ

Published: Jul 30, 2019, 9:46 am IST

କେଦାର ମିଶ୍ର

ଯେତେବେଳେ ସାରାଦେଶରେ ଧାର୍ମିକ ଉତ୍ତେଜନା ଓ ବିଦ୍ଵେଷ କାରଣରୁ ହିଂସାକାଣ୍ଡ ବଢି ବଢି ଚାଲିଛି, ସେତେବେଳେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ପ୍ରକାର ହିଂସାକାଣ୍ଡ ଘଟିନାହିଁ ବୋଲି ଫେକ୍ଟ ଚେକର ତରଫରୁ କୁହାଯାଇଛି। ଏହା କମ ଗୌରବର କଥା ନୁହେଁ। ଓଡିଶା ନିଜର ଶାନ୍ତି, ସଦଭାବନା ଓ ଏକତାର ପରମ୍ପରାକୁ ବଜାୟ ରଖିଛି। ଫେକ୍ଟ ଚେକର ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ମାନଚିତ୍ରଟି ଉପସ୍ଥାପନ କରାଯାଇଛି, ସେଥିରେ ଦେଶର ପ୍ରାୟ ସବୁ ପ୍ରଦେଶରେ ରକ୍ତର ଛିଟା ପଡିଥିବା ବେଳେ ଓଡିଶା ସଂପୂର୍ଣ୍ଣ ନିର୍ମଳ ଦିଶୁଛି। ଦେଶରେ ୨୦୦୯ ରୁ ୨୦୧୯, ଗତ ଦଶ ବର୍ଷ ଭିତରେ ଧାର୍ମିକ ବିଦ୍ଵେଷ କାରଣରୁ ୧୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭୩୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୋଟ ୨୯୭ଟି ବିଦ୍ଵେଷ ଜନିତ ଅପରାଧ ବା ହେଟ କ୍ରାଇମ ସଂଘଟିତ ହୋଇଛି। ଧାର୍ମିକ ବିଦ୍ବେଷର ଶିକାର ହୋଇ ୫୯% ମୁସଲମାନ, ୧୪% ହିନ୍ଦୁ ଓ ଖ୍ରୀଷ୍ଟିୟାନ ଏହି ହିଂସାକାଣ୍ଡର ଶିକାର ହୋଇଛନ୍ତି।
ଏହି ରିପୋର୍ଟ ରେ ଗତ ଦଶ ବର୍ଷ ଭିତରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ସର୍ବାଧିକ ଆକ୍ରମଣ ହୋଇଥିବାର ସ୍ପଷ୍ଟ ସୂଚନା ମିଳୁଛି। ବିଦ୍ଵେଷ ଜନିତ ଅପରାଧରେ ୫୯% ହିନ୍ଦୁ, ୧୨% ମୁସଲମାନ ଓ ୨୯% ଅଜଣା ସଂପ୍ରଦାୟର ଲୋକ ସାମିଲ ଅଛନ୍ତି। ଗୋରକ୍ଷା ଆଳରେ ୨୭% ଲୋକଙ୍କୁ ହତ୍ୟା ବା ଆକ୍ରମଣ କରାଯାଇଥିବା ବେଳେ ଆନ୍ତଃ ଧାର୍ମିକ ବିବାହ ପାଇଁ ୧୩% ଓ ସାମ୍ପ୍ରଦାୟିକ ସଂଘର୍ଷରେ ୯% ଓ ଅନ୍ୟାନ୍ୟ କାରଣରୁ ୩୦% ହିଂସାକାଣ୍ଡ ଘଟିଛି। ଗୋରକ୍ଷକ ମାନେ ଦେଶର ବିଭିନ୍ନ ଅଞ୍ଚଳରେ ନିଜର ହିଂସ୍ର କାର୍ୟକଳାପ ବଢାଇ ଚାଲିଛନ୍ତି।ଓଡିଶାରେ ଏପ୍ରକାର କାର୍ୟକଳାପ ଉପରେ ଗତ ଦଶ ବର୍ଷ ଭିତରେ ଅଙ୍କୁଶ ଲାଗିଛି। ତେବେ ଦୁଇ ବର୍ଷ ତଳେ କଟକ ରେଳ ଷ୍ଟେସନରେ ଗୋରକ୍ଷକମାନେ ଏକ ବଡ ହିଂସାକାଣ୍ଡ ଘଟାଇବାକୁ ଯାଉଥିଲେ। ଏ ସମ୍ପର୍କରେ ପୋଲିସର ତ୍ଵରିତ ପଦକ୍ଷେପ କାରଣରୁ ମାମଲାଟି ହିଂସ୍ର ହୋଇପାରିନଥିଲା।
ସେମିତି ଦୁଇ ବର୍ଷ ତଳେ ଭଦ୍ରଖରେ ମଧ୍ୟ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପୋଡାଜଳା ହୋଇଥିଲା। ତେଣୁ ଓଡିଶା ଯେ ଏ ପ୍ରକାର ଉତ୍ତେଜନାରୁ ସଂପୂର୍ଣ୍ଣ ମୁକ୍ତ ରହିଛି, ତାହା କୁହାଯାଇପାରିବ ନାହିଁ। ୨୦୦୭-୦୮ ମସିହାରେ କନ୍ଧମାଳ ଜିଲାରେ ଯେଉଁ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ସେଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଏହାର ସହଯୋଗୀ ସଂଗଠନ ସାମିଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇଥିଲେ। ସେହି କାରଣରୁ ୨୦୦୯ ରେ ବିଜେପି-ବିଜେଡି ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ସରକାରରୁ ବିଦା ହେବାପରେ ବିଜେପି ଓ ସଂଘ ପରିବାରର ଉଗ୍ର କାର୍ୟକଳାପ ଉପରେ ଅଙ୍କୁଶ ଲାଗିଥିଲା। ସେହି କାରଣରୁ ଗତ ଦଶ ବର୍ଷ ଭିତରେ ରାଜ୍ୟରେ ବିଶେଷ ସାମ୍ପ୍ରଦାୟିକ ବିଦ୍ଵେଷ ବା ଉତ୍ତେଜନା ଦେଖାଯାଇ ନାହିଁ। ତେବେ ଏହି ସମୟ ଭିତରେ ସମ୍ବଲପୁର, ଭଦ୍ରଖ, କେନ୍ଦ୍ରାପଡା, ରାଉରକେଲା, ଧାମନଗର ଇତ୍ୟାଦି ସହରରେ ସାମ୍ପ୍ରଦାୟିକ ବିଦ୍ଵେଷ ସୃଷ୍ଟି କରିବା ଲାଗି ଯୋଜନାବଦ୍ଧ ଉଦ୍ୟମ ହୋଇଛି।
ଉତ୍ତରପ୍ରଦେଶର ମହମ୍ମଦ ଅଖଲାଖ ହୁଅନ୍ତୁ ବା ରାଜସ୍ଥାନର ପେହେଲୁ ଖାନ, ଏମିତି ଶହେ ଲୋକଙ୍କୁ ଧାର୍ମିକ ଘୃଣା କାରଣରୁ ହତ୍ୟା କରାଯାଇଛି। ଅନେକ ସମୟରେ ହତ୍ୟାକାରୀ ଓ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ଶାସକ ବିଜେପି ର ନେତାମାନେ ସମର୍ଥନ ଦେଇ ଆସୁଛନ୍ତି। ଓଡିଶାରେ କ୍ଷମତାରେ ଥିବା ବେଳେ ବିଜେପିର ମନ୍ତ୍ରୀ ଓ ପ୍ରମୁଖ ନେତାମାନେ ସମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ପରିବେଶ ସୃଷ୍ଟି କରୁଥିଲେ। ବିଜେଡି ନିଜ ବଳରେ ସରକାର ଗଢିବା ପରଠୁ ସେମାନଙ୍କ ସାହସ ହୁଏତ କମିଛି। ତେବେ ବିଜେଡି ସହିତ ବିଜେପିର ନୂଆ ସମୀକରଣ କନ୍ଧମାଳ ଦଙ୍ଗାର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିଦେଉଛି।
ଗତ ଦଶ ବର୍ଷ ଭିତରେ ଭିଡ ଜନିତ ହିଂସା ଓ ଧାର୍ମିକ ବିଦ୍ଵେଷ ଜନିତ ଅପରାଧକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିବା ଓଡିଶା ସରକାର ଭବିଷ୍ୟତ ପ୍ରତି ମଧ୍ୟ ସତର୍କ ରହିବେ ବୋଲି ଆଶା କରାଯାଏ।

Related posts