ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳରେ ସ୍ଥାନ ପାଇଲେ ଅର୍ଜ୍ଜୁନ ତେନ୍ଦୁଲକର

Published: Jan 3, 2021, 12:51 pm IST

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳ ଲାଗି ଅର୍ଜ୍ଜୁନ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ ଜଣିଆ ଦଳରେ ସେ ସ୍ଥାନ ପାଇଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଥିବା ନେଇ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ୍ ଅଙ୍କୋଲ ସୂଚନା ଦେଇଛନ୍ତି।

ବିସିସିଆଇ ୨୦ ଜଣିଆ ଦଳ ଚୟନ ପାଇଁ ପ୍ରତ୍ୟେକ ରାଜ୍ୟ ଆସୋସିଏସନକୁ ନିର୍ଦ୍ଦେଶ ଦେଇଥଲା। କିନ୍ତୁ ପରେ ଏହାକୁ ଆଉ ଦୁଇ ଜଣ ଖେଳାଳିଙ୍କୁ ବୃଦ୍ଧି କରି ୨୨ ଜଣିଆ ଦଳ ମନୋନୀତ ପାଇଁ କହିଥିଲା। ଏହି କାରଣରୁ ମୁମ୍ବାଇ ଦଳ ଅର୍ଜ୍ଜୁନଙ୍କ ସହ ଆଉ ଜଣେ ଦ୍ରୁତ ବୋଲରଙ୍କୁ ମନୋନୀତ କରିପାରିଛି।

ଆଇପିଏଲର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତାରେ ମୁମ୍ବାଇ ଗ୍ରୁପ୍‌-ଇ’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ମୁମ୍ବାଇ ବ୍ୟତୀତ ଦିଲ୍ଲୀ, ହରିୟାଣା, କେରଳ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ରହିଛନ୍ତି। ନକ୍‌ଆଉଟ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ଅହମ୍ମଦାବାଦ୍‌ରେ ଖେଳାଯିବ।

Related posts