ଫର୍ମକୁ ଫେରିଲେ ରୋହିତ ଶର୍ମା: ପ୍ରଥମ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୩୦୦/୬

Published: Feb 13, 2021, 6:31 pm IST

ଚେନ୍ନାଇ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ଇଂଲଣ୍ଡ ବିପକ୍ଷରେ ୩୦୦ ରନ ସଂଗ୍ରହ କରିଛି। ଟସ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ କୌଣସି ରନ କରିବା ପୂର୍ବରୁ ଓଲ୍ଲୀ ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ  ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଚେତେଶ୍ଵର ପୂଜାରା ପଡ଼ିଆକୁ ଆସିଥିଲେ। ହେଲେ ସେ ଜ୍ୟାକ ଲିଚଙ୍କ ବଲରେ ମାତ୍ର ୨୧ ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲୀ ବ୍ୟାଟିଂରେ ବିଫଳ ହୋଇ ଶୂନ୍ୟରେ ଆଉଟ ହୋଇଥିଲେ।

ଭାରତ ୮୬ ରନରେ ୩ ଟି ୱିକେଟ ହରାଇ ବିପଦରେ ପଡିଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ଦଳ ପାଇଁ ୧୬୨ ରନ ଯୋଡ଼ିଥିଲେ। ରୋହିତ ୧୬୧ ରନରେ ଜ୍ୟାକ ଲିଚଙ୍କ ବଲରେ ଏବଂ ଅଜିଙ୍କ୍ୟ ମୋଇନ ଅଲିଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ।

ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୱିକେଟ କିପର ରିଷଭ ପନ୍ତ  ୩୩ ରନ ଏବଂ ଅକ୍ସର ପଟେଲ ୫ ରନ କରି ବ୍ୟାଟିଂ ଜାରି ରଖିଛନ୍ତି। ତା’ ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵିନୀ ମାତ୍ର ୧୩ ରନ କରି ଜୋ ରୁଟଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲିଚ ଏବଂ ମୋଇନ ଅଲି ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଓଲ୍ଲୀ ଷ୍ଟୋନ ଏବଂ ଜୋ ରୁଟ ୧ ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି।

Related posts