ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ

Published: Mar 19, 2021, 2:06 pm IST

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା।

ତେବେ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ଟି-୨୦ରେ ଧୂଆଁଧାର ପାଳି ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୩୧ ଟି ବଲସାମ୍ନା କରି ୫୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାରଙ୍କ ଏହି ଧୂଆଁଧାର ପାଳି ଯୋଗୁଁ ଇଂଲଣ୍ଡ ଠାରୁ ଭାରତ  ୮ ରନରେ ବିଜୟ ଲାଭ କରି ପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଏବଂ ଦିନିକିଆ ମ୍ୟାଚରେ ସାମିଲ କରାଯାଇ ସୂର୍ଯ୍ୟ କୁମାରଙ୍କୁ ଆଉ ଏକ ପୁରସ୍କାର ମିଳିଲା।

ଦିନିକିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧବନ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଶ୍ରାଦ୍ଧୁଳ ଠାକୁର।

Related posts