
ନୂଆଦିଲ୍ଲୀ: ଅନ୍ତିମ ଟି-୨୦ରେ ଇଂଲଣ୍ଡର ଜୋଶ୍ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ଗଣମାଧ୍ୟମ ଏବଂ ଖେଳାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାଫଳରେ ଏହି ଖବର ମ୍ୟାଚ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିସାରିଛି। ସେଥିପାଇଁ ବିରାଟଙ୍କ ଉପରେ ପ୍ରତିବନ୍ଧକ ଲାଗିପରେ। କିନ୍ତୁ ଏହି ପ୍ରତିବନ୍ଧକ କେଉଁ ପ୍ରକାର ହେବ, ତାହା ଦେଖିବା ବାକି ରହିଛି।
ଉଲ୍ଲେଖ ଯୋଗ୍ୟ ଯେ, ଅନ୍ତିମ ମ୍ୟାଚରେ ଇଂଲଣ୍ଡର ପ୍ରାରମ୍ଭିକ ପାଳି ଖରାପ ଥିଲା। ଜେସନ ରୟ କୌଣସି ରନ କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ହେଲେ ଏହାପରେ ଯଶ ବଟଲର ଏବଂ ଡ଼େବିଡ଼ ମଲାନ ଧୂଆଁଧାର ବ୍ୟାଟିଂ କରି ୧୩୦ ରନର ପାର୍ଟନରଶିପ କରିଥିଲେ। ବଟଲର ୫୨ ରନ କରିଥିବା ବେଳେ ଭୁବନେଶ୍ଵର କୁମାରଙ୍କ ଶିକାର ହୋଇଥିଲେ।
ତେବେ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଯାହାଦ୍ବାରା ବଟଲର ପ୍ୟାବିଲିଅନକୁ ଯିବା ସମୟରେ କ୍ରୋଦ୍ଧାନ୍ଵିତ ହୋଇ ବାରମ୍ବାର ପଛକୁ ଦେଖୁଥିବାର ଦେଖିବାକୁ ମିଳିଥିଲା। ହେଲେ ସେମାନଙ୍କ ମଧ୍ୟରେ କେଉଁପ୍ରକାରର ବାର୍ତ୍ତାଳାପ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ବିରାଟ, ଅମ୍ପାୟାର ଏବଂ ଇଂଲଣ୍ଡର ବୈରଷ୍ଟୋଙ୍କ ମଧ୍ୟରେ ଲାମ୍ବା ସମୟ ଧରି ଆଲୋଚନା ହୋଇଥିଲା।