‘ଡବ୍ଲୁଟିସି’ର ଫାଇନାଲ ମୁକାବିଲା: ନୂଆ ଜର୍ସିରେ ଦେଖାଯିବ ଟିମ୍ ଇଣ୍ଡିଆ, ଜାଡ଼େଜା ସେୟାର କଲେ ଫଟୋ

Published: May 29, 2021, 1:32 pm IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିରାଟ କୋହିଲୀଙ୍କ ନେତୃତ୍ଵରେ ଗଠିତ ଟିମ ଏବେ ମୁମ୍ବାଇର ଏକ ହୋଟେଲରେ କ୍ଵାରେଣ୍ଟିନରେ ଅଛନ୍ତି। ଖେଳାଳିମାନେ ସେଠାରେ ବ୍ୟାୟାମ କରି ପ୍ରଚୁର ଝାଳ ବୁହାଉଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଏବେ ସାମ୍ନାକୁ ଆସୁଛି। ଏହା ଭିତରେ ଫାଇନାଲ ମୁକାବିଲାରେ ଟିମ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜର୍ସି ଫଟୋକୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ସେୟାର କରିଛନ୍ତି। ଟୁଇଟ କରି ରବୀନ୍ଦ୍ର ଜାଡ଼େଜା ଏହି ନୂଆ ଜର୍ସିର ଫଟୋକୁ ଖେଳାପ୍ରେମୀମାନଙ୍କୁ ଦେଖାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମୁକାବିଲା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଜୁନ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥେମ୍ପଟନ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ଜୁନ ୨ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବେ।

ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଆଇସିସି ଏକ ସର୍ତ୍ତାବଳୀ ଘୋଷଣା କରିଛି। ସଂପୂର୍ଣ୍ଣ ପାଞ୍ଚ ଦିନ ଖେଳ ପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ହୁଏ, ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ। ଏହାସହିତ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ ରକ୍ଷା ଯାଇଛି। ଯଦି ପ୍ରଥମ ପାଞ୍ଚ ଦିନ ମଧ୍ୟରେ ୩୦ ଘଣ୍ଟାରୁ କମ ଖେଳ ହେବ, ତେବେ ଏହିରିଜର୍ଭ ଡେ’ କୁ ବ୍ୟବହାର କରାଯିବ।

Related posts