ଏହି ଖେଳାଳି ହେଲେ କରୋନା ପଜେଟିଭ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜିର ଟି-୨୦ ମ୍ୟାଚକୁ ରଖାଗଲା ସ୍ଥଗିତ

Published: Jul 27, 2021, 6:54 pm IST

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ବୁଧବାର (ଜୁଲାଇ ୨୮) ରେ ଖେଳାଯିବା ସମ୍ଭାବନା ରହିଛି।

କୃନାଲ ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ପୃଥକ ବାସରେ ଅଛନ୍ତି। ଭାରତର ଅବଶିଷ୍ଟ ଖେଳାଳିଙ୍କ ଆରଟିଓପିସିଆର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ସନ୍ଧ୍ୟା ୬ ଟା ସୁଦ୍ଧା ଆସିବ ଏବଂ ଯଦି ସମସ୍ତଙ୍କର ରିପୋର୍ଟ ନେଗେଟିଭ ବୋଲି ଜଣାପଡେ ତେବେ ଆସନ୍ତାକାଲି ମ୍ୟାଚ୍ ଅନୁଷ୍ଠିତ ହେବ।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ୩୮ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ କୃନାଲ ମାତ୍ର ଦୁଇଟି ଓଭର ବୋଲିଂ କରି ୧୬ ରନ ଦେଇ ୧ ୱିକେଟ୍ ନେଇଥିଲେ।

ଭାରତୀୟ ଦଳ ମଧ୍ୟ ପୂର୍ବରୁ ଦିନିକିଆ ସିରିଜକୁ କବଜା କରିଥିଲା। ଶିଖର ଧାୱନଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ ରେ ଜିତି ନେଇଛି।

Related posts