ଟି-୨୦ ବିଶ୍ୱକପ୍‌: ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ଭାରତର ସହଜ ବିଜୟ, ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ

Published: Oct 20, 2021, 7:45 pm IST

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ର ୱାର୍ମ ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳକୁ ଟିମ୍ ଇଣ୍ଡିଆ ପରାସ୍ତ କରିଦେଇଛି। ଅଷ୍ଟ୍ରେଲିଆ ପ୍ରଥମେ ଖେଳିବା ପରେ ୨୦ ଓଭରରେ ପାଞ୍ଚଟି ୱିକେଟ ବିନିମୟରେ ୧୫୨ ରନ ସ୍କୋର କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୧୭.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ସହଜରେ ବିଜୟ ଲାଭ କରିଥିଲା। ରୋହିତ ଶର୍ମା ଭାରତ ପାଇଁ ୪୧ ଟି ବଲରେ ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ସେ ରିଟାର୍ଡ ହର୍ଟ ହୋଇ ପ୍ୟାବିଲିନକୁ ଫେରିଥିଲେ। ଅନ୍ୟପକ୍ଷରେ ଉତ୍କୃଷ୍ଟ ଫର୍ମରେ ଥିବା କେ.ଏଲ୍ ରାହୁଲ ୩୯ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଖେଳ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଯାଦବ ୨୭ ଟି ବଲରେ ୩୮ ରନ ସ୍କୋର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆଠଟି ବଲରେ ୧୪ ରନ ସଂଗ୍ରହ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବ୍ୟାଟିଂ କରିବାକୁ ନେଇଥିଲେ ମଧ୍ୟ ଆରମ୍ଭରୁ ତାଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ଡେଭିଡ ୱାର୍ନର ୦୧, ଆରୋନ ଫିଞ୍ଚ ୦୮ ଏବଂ ମିଚେଲ ମାର୍ଶ ଶୂନ୍ୟରେ ଆଉଟ ହୋଇଥିଲେ। ତେବେ ଏହା ପରେ ଷ୍ଟିଭ୍ ସ୍ମିଥ୍ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସହ ୬୧ ରନ୍ ଭାଗିଦାରୀ କରିଥିଲେ।

ପାଞ୍ଚ ଚୌକା ସହାୟତାରେ ୨୮ ବଲରେ ୩୭ ରନ୍ କରି ମ୍ୟାକ୍ସୱେଲଙ୍କୁ ଆଉଟ ହୋଇଯାଇଥିଲେ। ଭୁବନେଶ୍ୱର କୁମାର ତାଙ୍କୁ ପାଭିଲିୟନକୁ ପଠାଇଲେ। ୭୨ ରନ୍ ରେ ଅଷ୍ଟ୍ରେଲିଆ ଦଳର ଚାରି ୱିକେଟ୍ ଖସିଯିବା ପରେ ସ୍ମିଥ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଇନିଂସ ସମ୍ଭାଳିଥିଲେ। ଉଭୟେ ପଞ୍ଚମ ୱିକେଟ୍ ରେ ୭୬ ରନ୍ ଭାଗିଦାରୀ କରିଥିଲେ। ସ୍ମିଥ୍ ୪୮ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ମାର୍କସ ଷ୍ଟୋଇନିସ ୨୫ ବଲରେ ୪୧ ରନରେ ଅପରାଜିତ ରହିଥିଲେ। ସେ ଚାରି ଚୌକା ଓ ଗୋଟିଏ ଛକା ମାରିଥିଲେ।

ତେବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତ ପାଇଁ ମାତ୍ର ୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ରାହୁଲ ଚହର, ରବିନ୍ଦ୍ର ଜାଡେଜା ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Related posts