ଜୁନ୍ ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍, ଏହି ପାଞ୍ଚଟି ସହରରେ ଖେଳାଯିବ ମ୍ୟାଚ୍

Published: Apr 24, 2022, 12:48 pm IST

ନୂଆଦିଲ୍ଲୀ: ଆଇପିଏଲ୍ ପରେ ଜୁନ୍ ମାସରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ସ୍ଥାନ ଘୋଷଣା କରାଯାଇଛି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ମ୍ୟାଚ୍ ଦିଲ୍ଲୀ, କଟକ, ବିଶାଖାପାଟନମ୍, ରାଜକୋଟ ଏବଂ ବାଙ୍ଗାଲୋରରେ ଖେଳାଯିବ। ବିସିସିଆଇ ଶନିବାର ଏହି ଘୋଷଣା କରିଛି।

ବର୍ତ୍ତମାନ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ମେ ୨୯ ତାରିଖରେ ଆଇପିଏଲ୍ ଶେଷ ହେବା ପରେ ଉଭୟ ଦଳ ଆଗାମୀ ଆନ୍ତର୍ଜାତୀୟ ସିରିଜ୍ ପାଇଁ ପ୍ରସ୍ତୁତି ହେବେ। ଉଭୟ ଦଳର ଖେଳାଳିମାନେ ସିରିଜ୍ ପାଇଁ ପ୍ରସ୍ତୁତ ହେବାକୁ ମାତ୍ର ୧୦ ଦିନର ବିରତି ପାଇବେ।

ନିକଟରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା, ଯେଉଁଠାରେ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳାଯାଇଥିଲା। ଏହି ଦୁଇଟି ସିରିଜରେ ଭାରତକୁ ଖରାପ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଆଗାମୀ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବହୁତ ଅଧିକ ରହିବ।

ଆଫ୍ରିକୀୟ ଖେଳାଳିମାନେ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଯୁବ ଖେଳାଳିଙ୍କ ମଧ୍ୟରେ ଡିଭାଲ୍ଡ ବ୍ରେଭିସ୍, ମାର୍କୋ ୟାନସିନ୍ ଭଳି ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ସହିତ ଏଡନ ମାର୍କ୍ରାମ, କାଗିସୋ ରାବାଡା ଏବଂ ଡେଭିଡ ମିଲରଙ୍କ ପରି ବରିଷ୍ଠ ଖେଳାଳିମାନେ ମଧ୍ୟ ନିଜ ନିଜ ଦଳ ପାଇଁ ମ୍ୟାଚ୍ ଜିତିବାରେ ଏକ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି।

ଆଗାମୀ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ପାଇଁ ଏକ ଭଲ କଥା ହେଉଛି ଯେ ସେମାନେ ଆଇପିଏଲରେ ଖେଳିବାର ଏକ ବଡ଼ ସୁବିଧା ପାଇବେ।

ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ?:

ପ୍ରଥମ ମ୍ୟାଚ୍: ଜୁନ୍ ୯ ତାରିଖ, ଦିଲ୍ଲୀ।
ଦ୍ୱିତୀୟ ମ୍ୟାଚ୍: ଜୁନ୍ ୧୨ ତାରିଖ, କଟକ।
ତୃତୀୟ ମ୍ୟାଚ୍: ଜୁନ୍ 1୧୩ ତାରିଖ, ବିଶାଖାପାଟନମ୍
ଚତୁର୍ଥ ମ୍ୟାଚ୍: ଜୁନ୍ ୧୭ ତାରିଖ ରାଜକୋଟ
ପଞ୍ଚମ ମ୍ୟାଚ୍: ଜୁନ୍ ୧୯, ବେଙ୍ଗାଲୁରୁ।

Related posts