ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଧାୱନ ଅଧିନାୟକ

Published: Jul 30, 2022, 10:11 pm IST

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା, ବରିଷ୍ଠ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି, ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏହି ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ।

ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ସ୍ୱିଙ୍ଗ୍ ବୋଲିଂ ଅଲରାଉଣ୍ଡର ଦୀପକ ଚହର ଦଳକୁ ଫେରିଛନ୍ତି। ଆହତ କାରଣରୁ ଉଭୟ ଖେଳାଳି ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ଯାଉଥିଲେ। ଆଘାତ ହେତୁ ଦୀପକ ଆଇପିଏଲ୍ ୨୦୨୨ ରେ ମଧ୍ୟ ଭାଗ ନେଇପାରିନଥିଲେ।

ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଭାରତ ଦିନିକିଆ ଦଳରେ ସାମିଲ କରାଯାଇଛି। ଏହାପୂର୍ବରୁ ସେ ଭାରତର ଟି-୨୦ ଦଳରେ ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୱିକେଟ୍ କିପର ସଞ୍ଜୁ ସାମସନ୍ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ: ଶିଖର ଧାୱନ (କ୍ୟାପଟେନ), ରୁତୁରାଜ ଗାଇକ୍ଵାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ (ଡବ୍ଲୁ.କେ), ସଞ୍ଜୁ ସାମସନ (ଡବ୍ଲୁ.କେ), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ସର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଏବଂ ଦୀପକ ଚହର।

ଦିନିକିଆ ସିରିଜ୍ କାର୍ଯ୍ୟସୂଚୀ:

ଅଗଷ୍ଟ ୧୮, ୨୦ ଏବଂ ୨୨ ତାରିଖରେ ଜିମ୍ବାୱେରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ଖେଳିବ। ଏହି ସମସ୍ତ ମ୍ୟାଚ୍ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ୬ ବର୍ଷ ମଧ୍ୟରେ ଜିମ୍ବାୱେରେ ଏହା ହେଉଛି ଭାରତର ପ୍ରଥମ ଯାତ୍ରା। ଶେଷ ଥର ପାଇଁ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଦଳ ତିନୋଟି ଦିନିକିଆ ଏବଂ ଟି-୨୦ ମ୍ୟାଚ ଜୁନ୍-ଜୁଲାଇ ୨୦୧୬ ରେ ଖେଳିଥିଲା।

Related posts