ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ: ଏବେ ସ୍ୱର୍ଣ୍ଣ ପଦକ ଆଡକୁ ଲକ୍ଷ୍ୟ

Published: Aug 6, 2022, 7:04 pm IST

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ର ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡକୁ ୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ସ୍ମୃତି ମନ୍ଧନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ଭାରତ ୧୬୫ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୬୦ ରନ୍ ସ୍କୋର କରିପାରିଥିଲା।

ଟିମ୍ ଇଣ୍ଡିଆ ଦେଇଥିବା ଟାର୍ଗେଟକୁ ପୂରଣ କରିବା ପାଇଁ ଇଂଲଣ୍ଡର ସୋଫିଆ ଡଙ୍କଲେ ଏବଂ ଡାନିଏଲ୍ ୱାଏଟ୍ ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ୱାଏଟ୍ ୨୭ ବଲରୁ ୩୫ ରନ ସ୍କୋର କରିଥିଲେ। ସେ ୬ ଟି ଚୌକା ମାରିଥିଲେ। ୱିକେଟ୍ କିପର ଆମି ଜୋନ୍ସ ୩୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୩ ଚୌକା ଅନ୍ତର୍ଭୁକ୍ତ ହୋଇଥିଲା। କ୍ୟାପଟେନ ନତାଲୀ ସେଭିୟର ୪୩ ବଲରେ ୪୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ଦୁଇଟି ଚୌକା ଓ ଗୋଟିଏ ଛକା ଥିଲା। ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ ଦଳ ୨୦ ଓଭରରେ ୧୬୦ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇଥିଲା। ତେଣୁ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ସ୍ମୃତି ମନ୍ଧନା ୩୨ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ। ସେ ୮ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଶେଫାଳି ବର୍ମା ଦୁଇଟି ଚୌକା ସହାୟତାରେ ୧୪ ରନ୍ ସଂଗ୍ରହ କରିଥିଲେ। ଜେମିମା ରୋଡ୍ରିଗେଜ୍ ୪୪ ରନ୍ କରି ଅପରାଜିତ ଥିଲେ। ସେ ୩୧ ଟି ବଲରେ ୭ ଟି ଚୌକା ମାରିଥିଲେ। କ୍ୟାପଟେନ ହରମାନପ୍ରୀତ କୌର ୨୦ ରନ କରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୨୨ ରନ ସ୍କୋର କରିଥିଲେ।

Related posts