ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ଦେଲେ ଡ.ଅଚ୍ୟୁତ ସାମନ୍ତ

Published: Aug 27, 2022, 1:33 pm IST

ଭୁବନେଶ୍ବର: ଭଲିବଲ ଖେଳାଳୀ ଆଶିଷ ସ୍ବାଇଁଙ୍କୁ ଭଲିବଲ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ଡ. ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧନା କରିଛନ୍ତି। ଗତକାଲି ଭୁବନେଶ୍ବରର କିଟ୍ କାର୍ଯ୍ୟାଳୟରେ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ଆଶିଷଙ୍କ ସହିତ ତାଙ୍କ ବାପା ଭରତ ସ୍ବାଇଁ, ମା ଗୀତାଞ୍ଜଳୀ ସ୍ବାଇଁ ଏବଂ ଓଡିଶା ଭଲିବଲ ସଂଘର ସଂପାଦକ ଗଗନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଆଶିଷ ଇରାନର ତେହେରାନରେ ଅନୁଷ୍ଠିତ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତା ଗତ ଅଗଷ୍ଠ ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ସଫଳତା ପାଇଁ କନ୍ଧମାଳ ସାଂସଦ, ଭଲିବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଏବଂ କିଟ ଓ କିସର ପ୍ରତିଷ୍ଠାତା ଡ. ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଉତ୍ସବରେ ଡ. ସାମନ୍ତ କହିଥିଲେ ଯେ, ଆଶିଷ ମୋତେ କହିଥିଲେ ଯେ ମୁଁ ଏକ ଗରିବ ପରିବାରର ଏବଂ ମୋର ପିତା ଜଣେ ଅଟୋ ରିକ୍ସା ଡ୍ରାଇଭର। ଗତ ତିନିବର୍ଷ ଧରି କିଟ ଏକାଡେମୀରେ ମୋତେ ପ୍ରଶିକ୍ଷଣ ଦିଆଯାଇ ନ ଥିଲେ ମୁଁ ଏହି ସୁଯୋଗ ପାଇପାରି ନ ଥାଆନ୍ତି। ଏଥିପାଇଁ ଆଶିଷଙ୍କୁ ଧନ୍ୟବାଦ ବୋଲି ଡ. ସାମନ୍ତ କହିଥିଲେ। ଭବିଷ୍ୟତରେ ଖେଳିବା ପାଇଁ ଆଶିଷଙ୍କୁ କିଟ୍ ତରଫରୁ ସମସ୍ତ ସହଯୋଗ ଦିଆଯିବ ବୋଲି ଡ. ସାମନ୍ତ ପ୍ରତିଶୃତି ଦେଇଛନ୍ତି।

ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ। ସେ ଆଟକର ଭାବେ ନିଜର ସ୍ବତନ୍ତ୍ର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର। ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି।

Related posts